୬ ବର୍ଷ ପରେ

ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୨ରେ ୬ ବର୍ଷ ପୂରିଲା। ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି କେଉଁ ସ୍ତରକୁ ଖସିଛି, ତାହା ପ୍ରତ୍ୟେକ ଦେଶବାସୀ ଦୈନନ୍ଦିନ ଅନୁଭବ କରୁଛନ୍ତି। କିନ୍ତୁ କେହି କିଛି କରିବା ସ୍ଥିତିରେ ନାହାନ୍ତି। ୮ ନଭେମ୍ବର ୨୦୧୬ରେ ଏହି କଠୋର ଅର୍ଥନୈତିକ ଅସ୍ତ୍ର ଦେଶବାସୀଙ୍କ ଉପରେ ପ୍ରୟୋଗ କରାଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ ଦୁର୍ନୀତି ସହିତ କଳାଧନ ରୋକିବା, ଆତଙ୍କବାଦୀଙ୍କୁ କରାଯାଉଥିବା ପାଣ୍ଠି ଯୋଗାଣ ବନ୍ଦ ଓ ବିଦେଶରେ ଛପାଯାଉଥିବା ନକଲି ମୁଦ୍ରାକୁ ଅକାମୀ କରିଦଆଯିବ। କୌତୂହଳର ବିଷୟ ହେଉଛି ପ୍ରଥମ ଦିନ ଏହି ଘୋଷଣା ହୋଇଯିବା ପରେ ତା’ପରଠାରୁ ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ କଥା କୁହାଗଲା। ଏହା ମଧ୍ୟ ଜୋର୍‌ଜବରଦସ୍ତ କରାଗଲା ଯେ କାଗଜ ଟଙ୍କା ପରିବର୍ତ୍ତେ ସମଗ୍ର ଦେଶରେ ଡିିଜିଟାଲ ଟଙ୍କା ବ୍ୟବହାର କରାଯିବ। ଅର୍ଥାତ୍‌ ନଗଦ କାରବାର ବନ୍ଦ ହୋଇଯିବ। ସବୁ ସନ୍ଧ୍ୟାରେ ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କ ଚେହେରା ଦେଖିବାର ସୁଯୋଗ ଦେଶବାସୀ ପାଇଥିଲେ। ବିଧିବଦ୍ଧ ବ୍ୟବସ୍ଥା କରାଯିବା ପୂର୍ବରୁ ବିମୁଦ୍ରୀକରଣ ଘୋଷଣା ହୋଇଯିବା ଫଳରେ ଅନେକ ବିଶୃଙ୍ଖଳା ଉପୁଜିଥିଲା। ତନ୍ମଧ୍ୟରୁ ଅନ୍ୟତମ ଥିଲା କେଉଁ ତାରିଖ ସୁଦ୍ଧା ପୁରୁଣା ଟଙ୍କା ଫେରସ୍ତ ଦେଇ ନୂତନ ନୋଟ୍‌ ଅଣାଯାଇପାରିବ। ପୋଖରୀରେ ପଦ୍ମ ଘୁଞ୍ଚିଲା ଭଳି ଶକ୍ତିକାନ୍ତ ସବୁଦିନ ଭିନ୍ନ ଭିନ୍ନ ତାରିଖ ଦର୍ଶାଇ ଦେଶର ଅର୍ଥନୀତି ଓ ବ୍ୟବସାୟିକ ବ୍ୟବସ୍ଥାକୁ ଦୋହଲାଇ ଦେଇ ଦୁର୍ବଳ କରିଦେବା ଦିଗରେ ସଫଳ ହୋଇଥିଲେ। ତାହାରି କୁଫଳ ଆଜି ମଧ୍ୟ ସମଗ୍ର ଦେଶକୁ ଭୋଗିବାକୁ ପଡୁଛି।
୪ ନଭେମ୍ବର ୨୦୧୬ରେ ଲୋକଙ୍କ ପାଖରେ ୧୭ ଲକ୍ଷ ୭୭ ହଜାର କୋଟି ଟଙ୍କା ନଗଦ ଅର୍ଥ ଥିଲା ବୋଲି ଆର୍‌ବିଆଇ କହିଥିଲା। ଆଶ୍ଚର୍ଯ୍ୟର କଥା ଅକ୍ଟୋବର ୨୦୨୨ରେ ସେହି ଅର୍ଥ ୭୨ ପ୍ରତିଶତ ବୃଦ୍ଧିପାଇ ୩୦ ଲକ୍ଷ ୮୮ ହଜାର କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି କେନ୍ଦ୍ର ସରକାରଙ୍କ ଅଧୀନ ବ୍ୟାଙ୍କିଙ୍ଗ୍‌ର ଏହି ସର୍ବୋଚ୍ଚ ସଂସ୍ଥା ଆର୍‌ବିଆଇ ଦ୍ୱାରା ଘୋଷଣା କରାଯାଇଛି। ସେଥିରୁ ବୁଝିବାକୁ ହେବ ଯେତେ ଭାରତପେ, ଗୁଗଲ୍‌ପେ, ଫୋନ୍‌ପେ, ପେଟିଏମ୍‌ ଭଳି ସଂସ୍ଥା ମୁଣ୍ଡ ଟେକିଛନ୍ତି ସମସ୍ତେ ନିମ୍ନମଧ୍ୟବିତ୍ତଙ୍କ ପାଖରେ ପହଞ୍ଚି ପାରିଛନ୍ତି। ତା’ଠାରୁ ବହୁ ଅଧିକ ଗରିବ ଓ ମଧ୍ୟବିତ୍ତ ନାଗରିକ ଏହି ବ୍ୟବସ୍ଥାକୁ ବିଶ୍ୱାସକୁ ନେଇପାରୁ ନାହାନ୍ତି ଏବଂ ଡିଜିଟାଲ ଅର୍ଥନୀତି ପରିବର୍ତ୍ତେ, ପୂର୍ବଭଳି, ନଗଦକୁ ଫେରିଯାଉଛନ୍ତି ବୋଲି ଏହି ରିପୋର୍ଟରୁ ପ୍ରମାଣ ମିଳୁଛି।
ଦେଶବାସୀଙ୍କ ସ୍ମୃତିକୁ ତାଜା କରିବା ପାଇଁ କିଛି ଚିତ୍ରକୁ ଏଠାରେ ଅବତାରଣା କରାଯାଇପାରେ। ବିମୁଦ୍ରୀକରଣ ପରେ ୫୦୦ ଓ ୧୦୦୦ ଟଙ୍କିଆ ଦୁଇଟି ବଡ଼ ନୋଟ୍‌କୁ ତତ୍‌କ୍ଷଣାତ୍‌ ସରକାର ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ଦେଖି ନ ଥିବା ଅନେକ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ସାଇତି ରଖିଥିବା ଏହି କାଗଜ ମୁଦ୍ରାକୁ ବଦଳାଇବା ପାଇଁ ଦିନ ଦିନ ଧରି ବ୍ୟାଙ୍କ ଆଗରେ ଧାଡ଼ି ବାନ୍ଧିଥିଲେ। କେତେକଙ୍କ ଏଥିଯୋଗୁ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଲା। ହେଲେ ସରକାର ଏହି ପ୍ରକ୍ରିୟାକୁ ଦେଶପ୍ରେମ ସହ ଯୋଡ଼ିଦେଲେ। ସିଆଚେନ୍‌ରେ ସୈନ୍ୟମାନେ ରାଷ୍ଟ୍ରର ସୁରକ୍ଷା ପାଇଁ ପ୍ରାଣବଳି ଦେଉଥିବା ବେଳେ ଅର୍ଥନୀତିକୁ ସୁଦୃଢ଼ କରିବା ସକାଶେ ଜନସାଧାରଣ କଷ୍ଟ ସହିବାକୁ ଶୀର୍ଷ ନେତୃତ୍ୱ ଆହ୍ବାନ ଦେଇଥିଲେ। ସେତେବେଳେ ସେହି ଘୋଷଣାକୁ ଅନେକ ଲୋକ ଅନ୍ଧ ଭାବେ ସମର୍ଥନ କରି ଭାବିଥିଲେ ଯେ ଦେଶର ମଙ୍ଗଳ ପାଇଁ ଏହି କଷ୍ଟ ସହିହେବ। ସେହି ତ୍ୟାଗର କୌଣସି ଅର୍ଥ ରହିଲା ନାହିଁ ବୋଲି ପରବର୍ତ୍ତୀ ସମୟରେ ବୁଝାପଡୁଛି। ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ମନରେ ଏଭଳି ଚିନ୍ତା ମଧ୍ୟ ପୂରାଇ ଦିଆଯାଇଥିଲା ଯେ, ଧନୀ ଲୋକଙ୍କ ନିକଟରୁ ବିପୁଳ ନଗଦ ଅର୍ଥ କାଢ଼ି ନେବାରେ ବିମୁଦ୍ରୀକରଣ ସହାୟକ ହେବ। କିନ୍ତୁ ଏହା ଯେ ଅବାସ୍ତବ ଥିଲା ତାହା ଅନେକେ ଠଉରାଇପାରି ନ ଥିଲେ। ସାଧାରଣତଃ ଅପର୍ଯ୍ୟାପ୍ତ କଳାଧନ ରଖିଥିବା ଧନିକ ବର୍ଗ ତାହାକୁ ନଗଦ ରାଶି ଆକାରରେ ନ ରଖି ବିଦେଶୀ ବ୍ୟାଙ୍କ କିମ୍ବା ଜମି, ସୁନା, ହୀରା ଆଦିରେ ବିନିଯୋଗ କରିଥାଆନ୍ତି। ମୋଟାମୋଟି କହିଲେ ବିମୁଦ୍ରୀକରଣ ଯୋଗୁ ନିମ୍ନ ଓ ମଧ୍ୟବିତ୍ତ ଲୋକ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ବହୁ ଲଘୁ, କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପ ଧୂଳିସାତ୍‌ ହୋଇଯାଇଥିଲା। ଅନେକ ଲକ୍ଷ ଲୋକ ଚାକିରି ହରାଇ ଦୁର୍ର୍ଦ୍ଦିିନ ଦେଇ ଗତି କରିଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିନାହିଁ। ଅନ୍ୟପକ୍ଷରେ ବିମୁଦ୍ରୀକରଣକୁ ଯେଉଁମାନେ ବିରୋଧ କରିଥିଲେ ସେମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇଥିଲା। କଠୋର ହେଲେ ମଧ୍ୟ ଦେଶର ବିକାଶ ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଥାଏ ବୋଲି ସରକାରୀ ଭାବେ କୁହାଯାଇଥିଲା।
ବିମୁଦ୍ରୀକରଣର ୬ ବର୍ଷ ପରେ କେନ୍ଦ୍ରରେ ସେହି ଏକା ସରକାର ଶାସନ କରୁଛନ୍ତି। ଅଧିକ ୭୨ ପ୍ରତିଶତ ନଗଦ ମୁଦ୍ରା ଜନସାଧାରଣଙ୍କ ପାଖରେ ରହିଛି ବୋଲି ଆର୍‌ବିଆଇର ରିପୋର୍ଟକୁ ସରକାରୀ ସ୍ତରରେ ଖଣ୍ଡନ କରାଯାଇ ନାହିଁ। ମନେରଖିବାକୁ ହେବ ଯେ ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ଆର୍‌ବିଆଇ ସେତିକି ପରିମାଣର ନୋଟ୍‌ ବା ନଗଦ ଟଙ୍କା ଛାପିଛି ବୋଲି କହିପାରୁଛି। ଏବେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ୮୨ ଟଙ୍କା ୪୪ ପଇସାରେ ପହଞ୍ଚତ୍ୟାଇଛି। ବିମୁଦ୍ରୀକରଣ ପୂର୍ବରୁ ଏହି ବିନିମୟ ମୂଲ୍ୟ ୬୪ ଟଙ୍କାରେ ଥିଲା। ଅର୍ଥନୀତି ଅତ୍ୟନ୍ତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବାରୁ ନିଯୁକ୍ତି ସଙ୍କୁଚିତ ହୋଇଯାଇଛି। ଏଠାରେ ଏକ ବିରୋଧାଭାସ ମଧ୍ୟ ଲକ୍ଷ୍ୟ କରାଯାଉଛି। ବିମୁଦ୍ରୀକରଣ ପରେ ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ) ମାଧ୍ୟମରେ କାରବାର ବୃଦ୍ଧି ପାଇଛି। ଏହା ସତ୍ତ୍ୱେ ଲୋକଙ୍କ ପାଖରେ ଅଧିକ ପରିମାଣର ନଗଦ ଅର୍ଥ ରହିବା ସୂଚାଉଛି ଯେ, ଅର୍ଥନୀତି ଦୋଦୁଲ୍ୟମାନ ଅବସ୍ଥାରେ ଥିବାରୁ ସରକାରଙ୍କ ଉପରେ ସମ୍ଭବତଃ ଦେଶବାସୀଙ୍କ ଭରସା କମିଯାଇଛି। ଏସ୍‌ବିଆଇ ଅର୍ଥନୀତିଜ୍ଞଙ୍କ ମତରେ ଦୀପାବଳି ସପ୍ତାହରେ ମୁଦ୍ରା ସଂଚାଳନ ବା କରେନ୍ସି ଇନ୍‌ ସର୍କ୍ୟୁଲେଶନ (ସିଆଇସି) ୭,୬୦୦ କୋଟି ଟଙ୍କା କମିଯାଇଛି, ଯାହା ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଉଛି। ଏହାର ଅର୍ଥ ଜନସାଧାରଣ ଏହିବର୍ଷ ଦୀପାବଳି ବେଳେ ପୂର୍ବବର୍ଷ ତୁଳନାରେ ଖର୍ଚ୍ଚ କମାଇ ଦେଇଛନ୍ତି। ଏଥିରୁ ଏହା ମଧ୍ୟ ଅନୁମାନ କରାଯାଇପାରେ ଯେ, ଅନ୍ୟକିଛି ସାମଗ୍ରୀ କିଣିବା ପରିବର୍ତ୍ତେ ସୁନା ଓ ହୀରା ଭଳି ଧାତବ ଜିନିଷ କିଣିଛନ୍ତି। ଦେଶର ଅର୍ଥନୀତିରେ ଦେଖାଦେଇଥିବା ଦୁରବସ୍ଥାକୁ ଦେଖି ଜନସାଧାରଣ ନଗଦ ଅର୍ଥ ବଜାରକୁ ଛାଡ଼ିବାକୁ ଚାହୁଁନାହାନ୍ତି। ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ଯେଉଁ ସ୍ଥିତି ଉପୁଜିଲା ତାହାର ପ୍ରଭାବ ଏଠାରେ ପଡ଼ିଯିବା ଭୟ ମଧ୍ୟ ଭାରତୀୟଙ୍କୁ ଘାରିଲାଣି। ମୋଟ ଉପରେ କହିଲେ ୬ ବର୍ଷ ତଳେ ଯେଉଁ ଉଦ୍ଦେଶ୍ୟ ନେଇ ସରକାର କଠୋର ଆର୍ଥିକ ନୀତି ଗ୍ରହଣ କରିଥିଲେ, ତାହା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏବେ ତାହାର କୁପ୍ରଭାବ ଦେଶର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଇଛି। କାରଣ ସ୍ଥିତି ଏଭଳି ବିଗିଡ଼ିଲାଣି ଯେ, ଅର୍ଥଶାସ୍ତ୍ରୀଙ୍କ ଦ୍ୱାରା ବହୁଳ ପ୍ରମାଣିତ ପ୍ରୟୋଗାତ୍ମକ ସୂତ୍ର ମଧ୍ୟ କାମ ଦେଉନାହିଁ। ଏଥିସହିତ ଦେଶର ନାଗରିକଙ୍କ ଚରିତ୍ର ବୁଝିବା ଦରକାର। ଦୀର୍ଘ ସମୟରୁ ନଗଦ ଟଙ୍କା ଖର୍ଚ୍ଚ କରି ବଞ୍ଚିବାକୁ ଶିଖିଥିବା ଭାରତୀୟଙ୍କୁ ହଠାତ୍‌ ଡିଜିଟାଲ ବ୍ୟବସ୍ଥା ଉପରେ ବିଶ୍ୱାସ ଆଣିବା କଷ୍ଟକର। ତାହା ଏହି ରିପୋର୍ଟରୁ ପ୍ରମାଣିତ ହେଉଛି। ଦୁଃଖର ବିଷୟ ଯେ ଭାରତ ସରକାର ଏବେ ମଧ୍ୟ ଉଚିତ ଅର୍ଥନୈତିକ ନିଷ୍ପତ୍ତି ନେବାରେ ଅଭିଜ୍ଞତା ପ୍ରଦର୍ଶନ କରିପାରୁନାହାନ୍ତି। ସେଥିପାଇଁ ଆଗାମୀ ଦିନରେ ଆହୁରି କଷ୍ଟ ସମୟ ଆସୁଛି ବୋଲି କୁହାଯାଇପାରିବ।

ଦୁଃଖର ବିଷୟ ଯେ ଭାରତ ସରକାର ଏବେ ମଧ୍ୟ ଉଚିତ ଅର୍ଥନୈତିକ ନିଷ୍ପତ୍ତି ନେବାରେ ଅଭିଜ୍ଞତା ପ୍ରଦର୍ଶନ କରିପାରୁନାହାନ୍ତି। ସେଥିପାଇଁ ଆଗାମୀ ଦିନରେ ଆହୁରି କଷ୍ଟ ସମୟ ଆସୁଛି ବୋଲି କୁହାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri