ନୂଆଦିଲ୍ଲୀ,୩।୧: ୨୦୧୪-୧୫ ଆର୍ଥିକ ବର୍ଷ ସମୟରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ପ୍ରଥମ ବର୍ଷରେ ଦୀର୍ଘ ୬ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ଯୋଜନା ଆୟୋଗକୁ ଭାଙ୍ଗି ଦିଆଯାଇଥିଲା। ଯୋଜନା ଆୟୋଗର ନାମ ବଦଳାଇ ନୀତି ଆୟୋଗ (ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟଶନ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ନାମରେ ତାହାକୁ ଗଠନ କରାଗଲା। ଦେଶକୁ ନୂଆ ଦିଶା ଦେଖାଇବା ପାଇଁ ଏହା ଗଠନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଉଦ୍ବୋଧନ ଦେଇ କହିଥିଲେ। ୨୦୧୫ ଜାନୟାରୀ ପହିଲାରେ ଏହା ଆନୁଷ୍ଟାନିକ ଭାବରେ ପ୍ରତିଷ୍ଠା ହୋଇଥିଲା। ଶୁକ୍ରବାର(ଚଳିତ ବର୍ଷ ୨୦୨୧) ଏହି ପ୍ରତିଷ୍ଠାନକୁ ୬ ବର୍ଷ ପୂରଣ ହୋଇଛି। ଏହି ସମୟ ମଧ୍ୟରେ ପ୍ରତିଷ୍ଠାନ ତା’ର ଲକ୍ଷ୍ୟ ହାସଲରେ କେତେ ସଫଳ ହୋଇଛି ତାହାକୁ ନେଇ ମଧ୍ୟ ବିଭିନ୍ନ ଫୋରମରେ ବିତର୍କ ଚାଲିଛି। ଏହି ଛଅ ବର୍ଷ ମଧ୍ୟରେ ନୀତି ଆୟୋଗ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ରିପୋର୍ଟ ଦେବା ସହିତ ଲକ୍ଷ୍ୟ ହାସଲ ପାଇଁ ଅନେକ ଅଭିଳାଷ ମଧ୍ୟ ରଖିଛି ବୋଲି ଜଣାପଡିଛି। ସେଗୁଡ଼ିକ ମଧ୍ୟରେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବା, ୨୦୨୪ରେ ଦେଶରେ ଏକା ସାଙ୍ଗରେ ନିର୍ବାଚନ କରିବା, ୨୦୩୦ ସୁଦ୍ଧା ଦେଶରେ କେବଳ ବିଜୁଳି ଗାଡ଼ି ଚଳାଚଳ କରିବା, ୨୦୨୨ ସୁଦ୍ଧା ଦେଶର ନିବେଶ ହାରକୁ ୩୬%ରେ ପହଞ୍ଚାଇବା ଆଦି ଲକ୍ଷ୍ୟ ରହିଥିବା ସୂଚନା ମିଳିଛି। ସେହିଭଳି ନ୍ୟାଶନାଲ ମେଡିକାଲ କମିଶନ, ଜାତୀୟ ଶିକ୍ଷାନୀତି, ଆୟୁଷ୍ମାନ ଭାରତ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ନୀତି ଆୟୋଗର ପ୍ରମୁଖ ଯୋଜନା ବୋଲି କୁହାଯାଉଛି। ସେହିପରି ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ନୋଟ୍ ମଧ୍ୟ ନୀତି ଆୟୋଗ ଦ୍ବାରା ତନ୍ନତନ୍ନ କରି ଅନୁଧ୍ୟାନ କରାଯାଇଥାଏ। ଅନ୍ୟପକ୍ଷରେ ପାଣ୍ଠି ଆବଣ୍ଟନରେ ଯୋଜନା ଆୟୋଗ ଭଳି ନୀତି ଆୟୋଗର କୌଣସି ଭୂମିକା ରହୁନାହିଁ। ଯୋଜନା ଆୟୋଗ ତୁଳନାରେ ନୀତି ଆୟୋଗର କ୍ଷମତା ଅଧିକ ଥିଲେ ମଧ୍ୟ ପାଣ୍ଠି ଆବଣ୍ଟନରେ କୌଣସି ଅବଦାନ ନ ଥିବାରୁ ସଂସ୍ଥା ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ମନ୍ତ୍ରଣାଳୟଗୁଡ଼ିକ ଯେତିକି ଗୁରୁତ୍ୱ ଦେବା କଥା ସେହି ଅନୁସାରେ ମିଳୁନାହିଁ ବୋଲି ଜଣାପଡିଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରହିଥିବା ବିଭିନ୍ନ ସମ୍ପକର୍ର୍ରେ ଉନ୍ନତି ଆଣିବାରେ ନୀତି ଆୟୋଗର ଭୂମିକା ମଧ୍ୟ ସଫଳ ହୋଇପାରିନାହିଁ।