ପାଣି ପାଇଁ ୬୦ ପରିବାର ହନ୍ତସନ୍ତ

ରୂପସା, ୧୫।୩: ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଦେଖାଗଲାଣି ଜଳକଷ୍ଟ। ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଅଧିକାଂଶ ନଳକୂପ ଅଚଳ ହୋଇପଡୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଜନସାଧାରଣ ଜୀବନ ବଞ୍ଚାଇବା ପାଇଁ ପରିତ୍ୟକ୍ତ କୂଅରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ସମସ୍ୟା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦାନନ୍ଦପୁର ପଞ୍ଚାୟତ ଅଧୀନ ବାଉଁଶମୁଖା ହରିଜନ ସାହି ଗ୍ରାମରେ।
ବ୍ଲକର ସଦର ମହକୁମା କୁହାଯାଉଥିବା ସଦାନନ୍ଦପୁର ପଞ୍ଚାୟତର ବାଉଁଶ ମୁଖା ହରିଜନ ସାହିରେ ବସବାସ କରନ୍ତି ୬୦ ପରିବାରର ୪ ଶହରୁ ଅଧିକ ଲୋକ। ଏହି ୪ଶହ ମହିଳା, ପୁରୁଷ ଓ ପିଲାଙ୍କ ପାଇଁ ଗ୍ରାମରେ ରହିଛି ଗୋଟିଏ ନଳକୂପ, ଗୋଟିଏ ସୌରଚାଳିତ ନଳକୂପ ଓ ଗୋଟିଏ ଢାଙ୍କୁଣି ନ ଥିବା ପରିତ୍ୟକ୍ତ କୂଅ। ଗ୍ରୀଷ୍ମ ଆରମ୍ଭରୁ ନଳକୂପ ଅଚଳ ହୋଇପଡିଛି। ବିଭିନ୍ନ କାରଣରୁ ବର୍ଷର ୮ ମାସ ବନ୍ଦ ରହେ ସୌର ଚାଳିତ ନଳକୂପ। ଫଳରେ ବାଧ୍ୟ ହୋଇ ଏହି ଖୋଲା ମୁହଁ ଥିବା କୂଅ ଉପରେ ଗ୍ରାମର ସମସ୍ତ ଲୋକ ନିର୍ଭର କରନ୍ତି। ପାଣି ଟୋପାଏ ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥାଏ ଏହି କୂଅ ପାଖରେ। ଦୀର୍ଘ ଦିନରୁ ଏହି କୂଅକୁ ପରିଷ୍କାର କରାଯାଇ ନ ଥିବାରୁ ଏହାର ପାଣି ପିଇ ଅସୁସ୍ଥ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୭ ଦିନ ମଧ୍ୟରେ ଯଦି ପାଣି ସମସ୍ୟା ଦୂର କରା ନ ଯାଏ ତା’ହେଲେ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ମହିଳା ସବିତା ନାୟକ କହନ୍ତି, ଖରାଦିନେ ପାଣି ପାଇଁ ଆମେ ବହୁତ ହନ୍ତସନ୍ତ ହେଉ। ସରକାର ପାନୀୟ ଜଳ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ। ଗୃହିଣୀ ସୁଶୀଳା ବୈଠା ଆମ ହରିଜନ ସାହିକୁ ଅବହେଳା କରାଯାଉଛି। ନିର୍ବାଚନ ଆସିଲେ ସବୁ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳେ। ତା’ ପରେ ଆଉ କାହାରି ଦେଖା ମିଳେନି।
ଜୀବନ ବେହେରା କହନ୍ତି, ଗାଁରେ ଆବଶ୍ୟକତା ଅନୁଯାୟୀ ନଳକୂପ ରହିଥିଲେ ମଧ୍ୟ ମରାମତି ଅଭାବରୁ ସବୁ ଅକାମୀ ହୋଇପଡ଼ିଛି। ଲୋକଙ୍କ ଦାବି ଯୋଗୁ ଗ୍ରାମରେ ପାଖାପାଖି ୨ କୋଟି ଟଙ୍କା ବିନିମୟରେ ଗୋଟିଏ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ କରାଯାଇଛି। ଠିକାଦାରଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁ ଦୁଇ ବର୍ଷ ହେବ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇରହିଛି। ଫଳରେ ଲୋକେ ପାଣି ମୁନ୍ଦାଏ ପାଇଁ ଗ୍ରାମର ଥିବା ଏକମାତ୍ର ପରିତ୍ୟକ୍ତ କୂଅ ଉପରେ ନିର୍ଭର କରୁଛନ୍ତି।
ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ଚିତ୍ତରଞ୍ଜନ ପାତ୍ରଙ୍କୁ ପଚରାଯିବାରୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଗ୍ରାମକୁ ପାଣି ଯୋଗାଇବାକୁ ବିଳମ୍ବ ହେଉଛି ଏବଂ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ବାଞ୍ଛାନିଧି ଦେ