୬୦କି.ମି. ଚିଠି ଆସିବାକୁ ଲାଗିଲା ୨ମାସ ୫ ଦିନ

ଖଇରା,୨୬।୯(ଉତ୍କଳବନ୍ଧୁ ପଣ୍ଡା): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲାର ଫଇସଲା ପାଇଁ ଜିଲା ଅତିରିକ୍ତ ଜିଲାପାଳଙ୍କ ତରଫରୁ ଅଭିଯୋଗକାରୀଙ୍କୁ ମିଳିଥିବା ଚିଠିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଚିଠିରେ ଅଭିଯୋଗକାରିଣୀ ଭାବେ ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ ଝିଙ୍କିରିଆ ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିରୁ ବଞ୍ଚିତ ଥିବା ଆବେଦନକାରିଣୀ ସସ୍ମିତାରାଣୀ ଜେନାଙ୍କୁ ୨୦୨୩ ଅଗଷ୍ଟ ୧୭ରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଜୁଲାଇ ୧୮ରେ ଅତିରିକ୍ତ ଜିଲାପାଳଙ୍କ ଦସ୍ତଖତ ଥିବା ଏହି ଚିଠି ପ୍ରେରଣ କରାଯାଇଥିଲା। ହେଲେ ସେପ୍ଟେମ୍ବର ୨୩ ତାରିଖରେ ସାରକୋଣା ପୋଷ୍ଟମାଷ୍ଟରଙ୍କ ନିକଟରୁ ଚିଠି ଅଭିଯୋଗକାରିଣୀଙ୍କ ହସ୍ତଗତ ହୋଇଛି। ଅର୍ଥାତ ସ୍ପିଡ୍‌ପୋଷ୍ଟରେ ଚିଠିଟି ବାଲେଶ୍ୱରରୁ ଖଇରା ୬୦କି.ମି. ଆସିବାକୁ ୨ମାସ ୫ଦିନ ସମୟ ନେଇଛି । ଉକ୍ତ ଚିଠିରେ ଅତିରିକ୍ତ ଜିଲାପାଳ ଯଥେଷ୍ଟ ପୂର୍ବରୁ ଚିଠି ଦେଇଥିବା ବେଳେ ଏମିତି କେମିତି ହେଲା ତାହା ସାଧାରଣ ଭାବେ ବୁଝାପଡୁନାହିଁ। ଅଭିଯୋଗ ଅନୁଯାୟୀ ଝିଙ୍କିରିଆ ଅଙ୍ଗନୱାଡି କେନ୍ଦ୍ର କର୍ମୀ ନିଯୁକ୍ତି ପାଇଁ ୨୦୧୮ରେ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ଏଥିରେ ସସ୍ମିତାରାଣୀ ଯୋଗ୍ୟତାରେ ୧ନଂ.ରେ ଥିବା ବେଳେ ତତ୍କୀଳୀନ ସିଡିପିଓ ଗ୍ରାମ ବାହାରୁ ଅନ୍ୟ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ଏହା ପ୍ରତିବାଦରେ ସସ୍ମିତା ୨୦୧୯ରେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ହାଇକୋର୍ଟରେ ୫ବର୍ଷ ଧରି ବିଚାର(ଅପିଲ ନଂ. ୨/୧୯)ଚାଲିବା ପରେ ବିଚାରପତି ମାମଲାର ସମାଧାନ ଲାଗି ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସୁଧାକର ନାୟକଙ୍କୁ ଯୋଗାଯୋଗ କରିବାରେ ଅନିଚ୍ଛାକୃତ ବିଳମ୍ବ ପାଇଁ ମହିଳାଙ୍କୁ ଆଉଥରେ ଚିଠି କରାଯିବ ବୋଲି କହିଛନ୍ତି।