ଭୋଟ ଦେବାକୁ ୬୦ କି.ମି. ଜଳଯାତ୍ରା

ମାଲକାନଗିରି,୨୩ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କାଲିମେଳା ବ୍ଲକରେ ଅନୁଷ୍ଠିତ ହୋଇଛି। ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଭୋଟରମାନେ ଦୀର୍ଘ ୬୦ କିଲୋମିଟର ବୋଟ୍‌ରେ ଯାତ୍ରା କରି ମତଦାନ କରିଥିବା ଦେଖିବାକୁ ମିଳିଛି। କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଜନସାଧାରଣ ଏପରି କରିଥିବା ଜଣାପଡିଛି। ୬୦ କିଲୋମିଟର ବୋଟ୍‌ରେ ଆସି ସେମାନେ ଟାଗୁରୁକୋଟା ମତଦାନ କେନ୍ଦ୍ରରେ ନିଜ ମତଦାନ ସାବ୍ୟସ୍ତ କରିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ କହନ୍ତି, ନିର୍ବାଚନ ବେଳେ ନିକଟସ୍ଥ ପୋଲୁରୁଠାରେ ଆମ ପାଇଁ ମତଦାନ କେନ୍ଦ୍ର ସ୍ଥାପନ ହୁଏ। ମାତ୍ର ଚଳିତବର୍ଷ ଉକ୍ତ ବୁଥ୍‌ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଥିବାରୁ ଏହାକୁ ସ୍ଥାନାନ୍ତର କରାଯାଇ ଟାଗୁରୁକୋଟାଠାରେ କରାଯାଇଛି। ଏହି ବୁଥ୍‌ ରାମଚନ୍ଦ୍ରପୁର ଗ୍ରାମଠାରୁ ଓଡ଼ିଶା ରାସ୍ତା ଦେଇ ଆସିଲେ ୧୦୦ କିଲୋମିଟର ହୁଏ। ଆନ୍ଧ୍ର ଦେଇ ଜଳ ଯାତ୍ରା କଲେ ୬୦ କିଲୋମିଟର ପଡିଥାଏ। ପୂର୍ବରୁ ଆମ ପଞ୍ଚାୟତ ପାଇଁ ଯେତେ ସରପଞ୍ଚ ନିର୍ବାଚିତ ହୋଇଛନ୍ତି କେହି ମଧ୍ୟ ଆମ ଉନ୍ନତି ପାଇଁ ଦୃଷ୍ଟି ଦେଇନାହାନ୍ତି। ଆମ ସମସ୍ୟା ବୁଝୁନାହାନ୍ତି। ଆମେ କେବଳ ଆମ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ଏତେ ଦୂର ଜଳଯାତ୍ରା କରି ଭୋଟ ଦେବାକୁ ଆସିଛୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Share