Categories: ଜାତୀୟ

୩୦ ବର୍ଷରେ କମିଲେଣି ୬୦% ପକ୍ଷୀ ପ୍ରଜାତି

ନୂଆଦିଲ୍ଲୀ,୨୬।୮: ଗତ ୩୦ ବର୍ଷ ମଧ୍ୟରେ ୩୩୮ ପ୍ରକାର ପକ୍ଷୀଙ୍କ ପ୍ରଜାତି ସଂଖ୍ୟା ପରିବର୍ତ୍ତନ ଏବଂ ୬୦% ପକ୍ଷୀ ପ୍ରଜାତି ହ୍ରାସ ଘଟିଛି। ଏହା ୩୦ ହଜାର ପକ୍ଷୀ ପ୍ରଜାତିର ତଥ୍ୟ ଆଧାରରେ ଜଣାପଡ଼ିଛି। ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ବାର୍ଡସ୍‌ର ରିପୋର୍ଟ ଅନୁସାରେ ଗତ ୭ ବର୍ଷ ମଧ୍ୟରେ ୩୫୯ ପ୍ରଜାତିର ପକ୍ଷୀ ସ୍ଥାନାନ୍ତର ହୋଇଛନ୍ତି। ସେଥିମଧ୍ୟରୁ ୨ଟି ପ୍ରଜାତି ସବୁଦିନ ପାଇଁ ଏବଂ ଗୋଟିଏ ପ୍ରଜାତି ସ୍ବଳ୍ପ ମିଆଦୀ ଲାଗି ସ୍ଥାନାନ୍ତର ହୋଇଛନ୍ତି। ଏହା ବ୍ୟତୀତ ୨୦୪ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ହ୍ରାସ ଘଟିଥିବାବେଳେ ୯୮ ପ୍ରଜାତିଙ୍କ ସଂଖ୍ୟା ସ୍ଥିର ରହିଛି ଏବଂ ୩୬ ପ୍ରଜାତିର ସଂଖ୍ୟା ବୃଦ୍ଧି ଘଟିଛି। ୧୩ଟି ସରକାରୀ ଏବଂ ଘରୋଇ ସଂସ୍ଥାର ମିଳିତ ରିପୋର୍ଟରେ ଏନେଇ କୁହାଯାଇଛି। ସେଥିମଧ୍ୟରେ ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ସୋସାଇଟି(ବିଏନ୍‌ଏଚ୍‌ଏସ୍‌), ଓ୍ବାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଡବ୍ଲୁଆଇଆଇ) ଏବଂ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ) ଭଳି ସଂସ୍ଥାଗୁଡ଼ିକ ରହିଛନ୍ତି। ଚଳିତ ବର୍ଷର ରିପୋର୍ଟ ଅନୁସାରେ ୩୫୯ ପକ୍ଷୀ ପ୍ରଜାତି ମଧ୍ୟରୁ ୧୪୨ଟିର ସଂଖ୍ୟା ହ୍ରାସ ଘଟିଛି, ୧୮୯ ପ୍ରଜାତି ସଂଖ୍ୟା ସ୍ଥିର ରହିଛି ଏବଂ ୨୬ ପ୍ରଜାତିଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ରିପୋର୍ଟରେ ୧୭୮ ପ୍ରଜାତିର ବର୍ଗୀକରଣ କରାଯାଇଛି। ସେଥିମଧ୍ୟରେ ନର୍ଦ୍ଦେନ ଶୋଭଲେର୍‌, ନଦ୍ଦେର୍ର୍ନ ପିନ୍‌ଟେଲ୍‌, କମନ୍‌ ଟେଲ୍‌, ସାରୁସ୍‌ କ୍ରେନ୍‌, ଆଣ୍ଡାମାନ ଇଗଲ୍‌କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ଇଣ୍ଡିଆନ ରୋଲର୍‌, କମନ୍‌ ଟେଲ୍‌, କମନ୍‌ ସ୍ୟାଣ୍ଡ୍‌ପାଇପର୍‌ ଭଳି ପ୍ରଜାତିଙ୍କ ସଂଖ୍ୟା ୩୦% କିମ୍ବା ତା’ଠାରୁ ମଧ୍ୟ ହ୍ରାସ ଘଟିଛି। ଅପରପକ୍ଷେ ପକ୍ଷୀଙ୍କ ପ୍ରଜାତି ଦୀର୍ଘବର୍ଷ ଧରି ଯେପରି ତିଷ୍ଠି ରହିବ ତାହା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟ ସମାଜ ହାତରେ ରହିଛି ବୋଲି ନେଚର୍‌ କଞ୍ଜର୍‌ଭେସନ୍‌ ଫାଉଣ୍ଡେଶନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍‌. ଆନନ୍ଦ କୁମାର କହିଛନ୍ତି। ସେହିପରି ବତକ, ସାମୁଦ୍ରିକ ପକ୍ଷୀ ପ୍ରଜାତି ମଧ୍ୟ ତିଷ୍ଠି ରହିବା ଆବଶ୍ୟକ, କାରଣ ଏହି ପ୍ରଜାତିର ପକ୍ଷୀମାନେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।

Share