Categories: ଫୁରସତ

ସୋସିଆଲ ମିଡିଆରେ ବନ୍ଧା ବିଶ୍ୱର ୬୦%

ସିଙ୍ଗାପୁର: ବର୍ତ୍ତମାନ ସମୟରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଅଳ୍ପେ, ବହୁତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ନିକଟରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ବିଶ୍ୱର ୬୦%ରୁ ଅଧିକ ଲୋକ ଏବେ ସାମାଜିକ ଗଣମାଧ୍ୟମରେ ବନ୍ଧା। ସିଙ୍ଗାପୁରର ଡିଜିଟାଲ ଆଡ୍‌ଭାଇଜରି ଫାର୍ମ କେପିଓସ୍‌ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଗତ ବର୍ଷ ତୁଳନାରେ ସୋସିଆଲ ମିଡିଆ ୟୁଜର୍ସ ସଂଖ୍ୟାରେ ୩.୭% ବୃଦ୍ଧି ଘଟିଛି। ଅଦ୍ୟାବଧି ୫.୧୯ ବିଲିୟନ୍‌ ଲୋକ ଅର୍ଥାତ୍‌ ବିଶ୍ୱ ଜନସଂଖ୍ୟାର ୬୪.୪% ଲୋକ ସୋସିଆଲ ନେଟ୍‌ଓ୍ବାର୍କିଂ ସାଇଟ୍‌ ବ୍ୟବହାର କରୁଛନ୍ତି।
ଅଞ୍ଚଳକୁ ନେଇ ୟୁଜର୍ସଙ୍କ ସଂଖ୍ୟା ଭିନ୍ନ ରହିଛି। ପୂର୍ବ ଏବଂ କେନ୍ଦ୍ରୀୟ ଆଫ୍ରିକୀୟ ଦେଶରେ ପ୍ରତି ୧୧ ଜଣଙ୍କ ମଧ୍ୟରୁ ମାତ୍ର ଜଣେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ସେହିପରି ବିଶ୍ୱର ଜନବହୁଳ ଦେଶ ଭାରତରେ ପ୍ରତି ୧୧ ଜଣଙ୍କ ମଧ୍ୟରେ ୩ ଜଣ ୟୁଜର୍ସ ସାମାଜିକ ଗଣମାଧ୍ୟମରେ ଯୋଡ଼ିହୋଇଛନ୍ତି। ସୋସିଆଲ ମିଡିଆ ବ୍ୟବହାର ସମୟକୁ ଦେଖିଲେ, ତାହା ମଧ୍ୟ ବଢ଼ିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେତେେବେଳ ଲୋକମାନେ ମାତ୍ର ୨ ମିନିଟ୍‌ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିଲେ, ତାହା ଏବେ ୨ ଘଣ୍ଟା ୨୬ ମିନିଟ୍‌କୁ ବୃଦ୍ଧି ପାଇଛି। ସେହିପରି ବ୍ରାଜିଲରେ ଲୋକମାନେ ୩ ଘଣ୍ଟା ୪୯ ମିନିଟ୍‌ରୁ ଅଧିକ ସମୟ ସୋସିଆଲ ମିଡିଆରେ କାଟୁଥିବାବେଳେ ଜାପାନରେ ଏହି ସମୟ ରହିଛି ଗୋଟିଏ ଘଣ୍ଟାରୁ କମ୍‌। ମୋଟାମୋଟି ଭାବେ ୭ଟି ସୋସିଆଲ ମିଡିଆ ସାଇଟ୍‌ ଏବେ ବହୁଳ ଭାବେ ବ୍ୟବହାର କରାଯାଉଛି। ମେଟାର ହ୍ବାଟର୍‌ସଆପ୍‌, ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍‌ ସାଙ୍ଗକୁ ଚାଇନାର ଉଇଚାଟ୍‌, ଟିକ୍‌ଟକ୍‌, ଡୁଇନ୍‌ ଏବଂ ଟୁଇଟର, ମେସେଞ୍ଜର, ଟେଲିଗ୍ରାମ ବହୁଳ ଭାବେ ବ୍ୟବହାର କରାଯାଉଛି।

Share