ଜୁଲୁସ୍‌ରେ ବାହାରିବ ୬୦ ମେଢ଼

ଭଦ୍ରକ,୧୨।୯(ସନାତନ ରାଉତ): ବଡ଼ ସରକାର ବାବାଙ୍କ ଉର୍ସ ଉତ୍ସବ ଓ ପ୍ରଫେଟ୍‌ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଏସ୍‌ପି ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲାପାଳ ମନୋଜ ପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ମୁସ୍‌ଲିମ୍‌ ଜମାତ, ଗୁଲସାନୀ ଗସପାକ୍‌, ଗୁଲସାନି ନସିମ୍‌ ଓ ହିନ୍ଦୁ ସୁରକ୍ଷା ସମିତିର ସଦସ୍ୟମାନେ ଯୋଗଦେଇ ଚାଦର ଶୋଭାଯାତ୍ରା ଓ ଜୁଲୁସ୍‌ ନେଇ ଆଲୋଚନା କରିଥିଲେ।
ବଡ଼ ସରକାରଙ୍କ ବାର୍ଷିକ ଫତେହା ଉତ୍ସବ ଉର୍ସ ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ ପାଳନ ହେବ। ୨୩ରେ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଫଳ ଗ୍ରହଣ ଓ ୨୪ ତାରିଖ ସକାଳେ ପ୍ରାର୍ଥନା, ଭୋଗ ବଣ୍ଟନ, ଚାଦର ଚଢ଼ା ରାତି ୧୨ଟା ଯାଏ ଚାଲୁ ରହିବ। ଜିଲା ଓ ରାଜ୍ୟ ବାହାରୁ ୮୦ ହଜାରରୁ ୧ ଲକ୍ଷ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ବିଶେଷ କରି ଟ୍ରାଫିକ୍‌ ନିୟନ୍ତ୍ରଣ, ସଫେଇ, ପାନୀୟ ଜଳ ଯୋଗାଣ, ଆମ୍ବୁଲାନ୍ସ ବ୍ୟବସ୍ଥା, ରେଲୱେ ଷ୍ଟେଶନରେ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ କାଉଣ୍ଟର ଆଦି ସୁବିଧା ସୁଯୋଗ ନିମନ୍ତେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମହମ୍ମଦ ଜୟନ୍ତୀ ପାଇଁ ୨୮ କିମ୍ବା ୨୯ ତାରିଖରେ ଉତ୍ସବ ପାଳନ ଓ ଜୁଲୁସ୍‌ (ଶୋଭାଯାତ୍ରା)ରେ ୬୦ଟି ମେଢ଼ ବାହାରିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଡିଜେ ନ ବାଜିବା ପାଇଁ ମୁସଲିମ୍‌ ଜମାତ ଓ ସ୍ଥାନୀୟ ସର୍ଦ୍ଦାରମାନଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ, ପୋଲିସ ପାଟ୍ରୋଲିଂ, ଶୋଭାଯାତ୍ରାରେ ନିଶା ସେବନ ନିଷେଧ ଆଦି ନେଇ ଏସ୍‌ପି ଆଲୋଚନା କରିଥିଲେ। ଡିଏସ୍‌ପି ଡିଆଇବି କମଳ ଲୋଚନ ଭୂୟାଁ ଓ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ବୈଠକରେ ଯୋଗ ଦେଇଥିଲେ।
Share