୫ କି.ମି. ରାସ୍ତା ପାଇଁ କଟା ଯିବ ୬୦ ଗଛ

ଛତ୍ରପୁର,୧୪।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହରିଡାଖଣ୍ଡି-ବେଲପଡ଼ା ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ କରାଯିବ। ଏଥିଲାଗି ୬୦ଟି ଗଛ କଟାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏତେ ସଂଖ୍ୟକ ଗଛ କଟାଯିବାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ହରିଡାଖଣ୍ଡି-ବେଲପଡା ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଲାଗି ରହୁଛି। ୫ କି.ମି. ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଜରୁରୀ ହୋଇପଡିଛି। ବ୍ରହ୍ମପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୨ ଅନୁସାରେ ଉକ୍ତ ରାସ୍ତା କାର୍ଯ୍ୟରେ ୬୦ଟି ଗଛ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏହି ରାସ୍ତା କାର୍ଯ୍ୟ ପାଇଁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ(ରୋଡ ପ୍ଲାନ୍‌) ମଞ୍ଜୁରୀ ଦେଇଛନ୍ତି। ଉକ୍ତ କାମ ନାବାର୍ଡ (ଆରଆଇଡିଏଫ୍‌-ଏକ୍ସଏକ୍ସଭିଆଇଆଇ) ଅନୁଦାନରେ ତ୍ୱରାନ୍ବିତ ହେବ। କାମରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛଗୁଡ଼ିକୁ କାଟିବାକୁ ପଡିବ। ଏନେଇ ଅନୁମତି ଦେବା ଲାଗି ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୨ ର ଅଧିକ୍ଷଣଯନ୍ତ୍ରୀଙ୍କ ପକ୍ଷରୁ ଏକ ଚିଠି (ନଂ-୭୫୦୬/୮ା୧୧ା୨୦୨୧) ବ୍ରହ୍ମପୁର ସ୍ଥିତ ଡିଭିଜନାଲ ଫରେଷ୍ଟ ଅଫିସକୁ ଲେଖାଯାଇଥିବା ଜଣାପଡିଛି। ଏଥିପାଇଁ ଅଧିକୃତ ଅଫିସରଙ୍କୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବାକୁ ବ୍ରହ୍ମପୁର ସ୍ଥିତ ଡିଭିଜନାଲ ଫରେଷ୍ଟ ଅଫିସରଙ୍କୁ ଅଧିକ୍ଷଣ ଯନ୍ତ୍ରୀ ଅନୁରୋଧ କରିଛନ୍ତି।