୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଥିଲା। ଏଥିଯୋଗୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ମୁଣ୍ଡରେ ଟାଇଟନିୟମ ପ୍ଲେଟ୍‌ ଲଗାଯାଇଥିଲା। ଦୀର୍ଘ ୬୦ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଅପରେଶନ ମାଧ୍ୟମରେ ପ୍ଲେଟ୍‌କୁ ବାହାର କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଣ୍ଟ୍ରାକ୍ଟର ପୁଅ ହୋଶେଦାର କହିଛନ୍ତି।

୧୯୬୨ ମାର୍ଚ୍ଚ ୧୭ରେ ବାରବାଡସ ବିପକ୍ଷ ଏକ ମ୍ୟାଚ୍‌ରେ ଗ୍ରିଫିଥଙ୍କ ବାଉନ୍ସର କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ବାଜିଥିଲା। ଅସ୍ତ୍ରୋପଚାର ବେଳେ ତାଙ୍କ ଜୀବନ ବଞ୍ଚାଇବା ଲାଗି ୫ ଜଣ ରକ୍ତଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଆନ ଅଧିନାୟକ ଫ୍ରାଙ୍କ ଓ୍ବରେଲ, ଭାରତୀୟ ଖେଳାଳି ଚାନ୍ଦୁ ବୋରଦେ, ବାପୁ ନାଦକାରନି, ପଲି ଉମରିଗର। ଏହି ଆହତ ସମସ୍ୟା ଯୋଗୁ କଣ୍ଟ୍ରାକ୍ଟରଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଥିଲା।

ସେ ୧୯୫୫ରୁ ୬୨ ମଧ୍ୟରେ ଦେଶ ପାଇଁ ୩୧ ଟେଷ୍ଟ ଖେଳିଥିଲେ। ଏଥିସହିତ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୮ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିଲେ ବାମହାତୀ ଓପନିଂ ବ୍ୟାଟର। ୧୯୫୯ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଛାତି ହାଡ଼ ଭାଙ୍ଗିବା ସତ୍ତ୍ୱେ ୮୧ ରନ୍‌ର ପାଳି ଯୋଗୁ ଆଜି ବି ତାଙ୍କୁ ବିଶ୍ୱ କ୍ରିକେଟରେ ମନେ ରଖାଯାଏ।

Share