Categories: ଜାତୀୟ

୬୦୦ ଭାରତୀୟ ସୈନ୍ୟ ବିପଦରେ

ନୂଆଦିଲ୍ଲୀ,୧୨ା୧୦: ଲେବାନନ୍‌ରେ ଥିବା ଜାତିସଂଘ ଶାନ୍ତିରକ୍ଷା ବାହିନୀକୁ ଟାର୍ଗେଟ କରି ଇସ୍ରାଏଲୀ ସେନାର ଆକ୍ରମଣ ଘଟଣାରେ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ଦକ୍ଷିଣ ଲେବାନନ୍‌ର ନାକୁରାସ୍ଥିତ ୟୁଏନ୍‌ଆଇଏଫ୍‌ଆଇଏଲ୍‌ ମୁଖ୍ୟାଳୟରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ଶାନ୍ତିବାହିନୀର ୨ ସୈନ୍ୟ ଆହତ ହୋଇଛନ୍ତି। ଲେବାନନ୍‌ରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ ୬୦୦ ଭାରତୀୟ ସୈନ୍ୟ ରହିଥିବାରୁ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଦକ୍ଷିଣ ଲେବାନନ୍‌ରେ ଥିବା ଶାନ୍ତିରକ୍ଷା ବାହିନୀର ସୁରକ୍ଷାକୁ ନେଇ ନୂଆଦିଲ୍ଲୀ ଚିନ୍ତାବ୍ୟକ୍ତ କରିଛି। ୟୁଏନ୍‌ ମିଶନରେ ଥିବା ୬୦୦ ଭାରତୀୟ ସୈନ୍ୟ ଇସ୍ରାଏଲ୍‌-ଲେବାନନ୍‌ ସୀମାର ୧୨୦ କିଲୋମିଟର ବ୍ଲ୍ୟୁଲାଇନ ମଧ୍ୟରେ ରହିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏକ ବିବୃତିରେ ଉଦ୍‌ବେଗ ପ୍ରକାଶ କରିବା ସହ ଲେବାନନ୍‌ ସ୍ଥିତି ଉପରେ ନଜର ରଖିଥିବା କହିଛି। ଜାତିସଂଘ ପରିସରର ଅନୁଲଂଘନୀୟତାକୁ ସମସ୍ତେ ସମ୍ମାନ ଦେବା ଜରୁରୀ। ଶାନ୍ତିରକ୍ଷା ବାହିନୀର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଭାରତ କହିଛି। ଶାନ୍ତିରକ୍ଷା ବାହିନୀ ଉପରେ ଆକ୍ରମଣକୁ ୟୁରୋପୀୟ ୟୁନିୟନ ଏବଂ ସ୍ପେନ୍‌ ସମେତ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି।

Share