Categories: ଫୁରସତ

କଣ୍ଢେଇ ଫେରାଇବାକୁ ବିମାନରେ ଆସିଲେ ୬ହଜାର ମାଇଲ

ୱାଶିଂଟନ: ଜଣେ ୯ ବର୍ଷୀୟା ଝିଅର ଖୁସି ପାଇଁ ପାଇଲଟ୍‌ ଜଣକ ଯାହା କରିଛନ୍ତି, ସେଥିଲାଗି ସେ ଚର୍ଚ୍ଚାକୁ ଆସିଛନ୍ତି। ବିମାନ ଯାତ୍ରା ସମୟରେ ଅନେକେ ତାଙ୍କର କିଛି ଜିନିଷ ଭୁଲି ଯାଇଥିବା ନଜରକୁ ଆସିଛି। ତେବେ ନିକଟରେ ଏକ ଛୋଟପିଲା ବିମାନରେ ତା’ କଣ୍ଢେଇ ଭୁଲି ଛାଡ଼ିଯାଇଥିଲା। ପାଇଲଟ ଜଣକ ସେହି ଖେଳଣାକୁ ଫେରାଇବାକୁ ୬ହଜାର ମାଇଲ ବିମାନରେ ଆସିଥିବା ଜଣାପଡ଼ିଛି। ଆମେରିକାର ଏୟାରଲାଇନ୍ସରେ କାମ କରୁଥିବା ପାଇଲଟ୍‌ ଜେମ୍ସ ଡେନେନ୍‌ଙ୍କୁ ଫେସ୍‌ବୁକ ଜରିଆରେ ଜଣାପଡିଲା କି ବାଲେନ୍‌ଟିନା ନାମକ ଜଣେ ଝିଅର କଣ୍ଢେଇ ହଜିଯାଇଛି। ଯାହା ଶେଷଥର ପାଇଁ ଟୋକିଓର ବିମାନ ବନ୍ଦରରେ ଦେଖାଯାଇଥିଲା। ଝିଅର ପରିବାର ଇଣ୍ଡୋନେସିଆ ଯାତ୍ରା କରି ଟେକ୍ସାସ୍‌ ଫେରୁଥିଲେ। ସେମାନଙ୍କୁ ମଝିରେ ଟୋକିଓରେ ରହିବାକୁ ପଡିଥିଲା। ଜେମ୍ସ ଏହା ଜାଣି ଟୋକିଓ ଏୟାରଲାଇନ୍ସ ସହ ସମ୍ପର୍କ କଲେ। ଏହାପରେ ହଜିଥିବା ସେହି କଣ୍ଢେଇ ବାବଦରେ ସେ ଜାଣିବାକୁ ପାଇଥିଲେ। ଜେମ୍ସ ସେହି କଣ୍ଢେଇର ଫଟୋକୁ ବାଲେନ୍‌ଟିନାକୁ ପଠାଇଲେ। ପରେ ସେ ବିମାନରେ ୬ହଜାର ମାଇଲ ଯାତ୍ରା କରି ଝିଅର ସେହି କଣ୍ଢେଇକୁ ଫେରାଇଥିଲେ। ଝିଅଟି ୩ ସପ୍ତାହ ପରେ ହଜିଥିବା କଣ୍ଢେଇକୁ ପାଇଗଲା। ତେବେ ପାଇଲଟ୍‌ ଜେମ୍ସଙ୍କ ଘର ବାଲେନ୍‌ଟିନାଙ୍କ ଘର ପାଖରେ। ଏଥିସହ ଜେମ୍ସ ଝିଅଟିକୁ ଉପହାର ସ୍ବରୂପ କିଛି ଜିନିଷ ଦେଇଥିଲେ। ବାଲେନ୍‌ଟିନା କହିଛନ୍ତି, ଏହି କଣ୍ଢେଇ ତାଙ୍କ ପାଇଁ ଅମୂଲ୍ୟ। ଏହା ତାଙ୍କୁ ବହୁତ ଖୁସି ଦିଏ। ଜେମ୍ସ ମଧ୍ୟ ବାଲେନ୍‌ଟିନାଙ୍କୁ ସାହାଯ୍ୟ କରି ଖୁସି ଥିବା କହିଛନ୍ତି। ସେ କହିଛନ୍ତି, ଲୋକଙ୍କୁ ସାହାଯ୍ୟ କରିବା ତାଙ୍କୁ ଅଧିକ ପସନ୍ଦ ଆସେ।

Share