ବାତ୍ୟା ୟାସ୍‌: ସ୍ଥାନାନ୍ତର ହେଲେଣି ୬୦ ହଜାର ଲୋକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ସୋମବାର ଭୟଙ୍କର ବାତ୍ୟାର ରୁପ ନେଇଛି। ବୁଧବାର ଅର୍ଥାତ୍‌ ୨୬ ତାରିଖରେ ଏହା ଧାମରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ତେବେ ବାତ୍ୟା ମୁକାବିଲାକୁ ନେଇ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ଆଶଙ୍କା ଥିବା ୪ଟି ଜିଲାର ତଳି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପ୍ରକ୍ରିୟା ଜାରି ରହିଛି। ବାତ୍ୟା ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୦ରୁ ୬୦ ହଜାର ଲୋକଙ୍କୁ ଓ ୪,୫୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତରିତ କରାଯଇଛି। ଅପରପକ୍ଷେ ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ରହିଥିବା ବେଳେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ବି ପ୍ରସ୍ତୁତ ରହିଛି। ସୂଚନା ମୁତାବକ ୬୯୦୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ଯେଉଁଥିରେ ୭.୫୦ଲକ୍ଷ ଲୋକଙ୍କୁ ରଖାଯାଇପାରିବ ବୋଲି ଏସ୍‌ଆରସି କମିଶନର କହିଛନ୍ତି। ବାତ୍ୟା ସମୟରେ କଟକ ଓ ଭୁବନେଶ୍ୱରରେ ପବନର ବେଗ ୬୦ରୁ ୯୦ କିଲୋମିଟର ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗ ଅନୁସାରେ ବୁଧବାର ଭିତରକନିକା, ଚାନ୍ଦବାଲି ଓ ଧାମରାରେ ୟାସ୍‌ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି। ବାତ୍ୟା ପାଇଁ କେନ୍ଦ୍ରପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରକୁ ହାଇଜୋନରେ ରଖାଯାଇଛି। କେନ୍ଦୁଝର ଓ ମୟୁରଭଞ୍ଜକୁ ମଧ୍ୟ ଆଲର୍ଟରେ ରଖାଯାଇଛି। ସେହିପରି ଲହୁଣୀପଡ଼ା, ବଣେଇ, କଙ୍କଡାହାଡ଼, ଭୁବନ, କାମାକ୍ଷାନଗର ଓ ପାଲଲହଡ ଓ କଣିହାଁର କିଛି ବ୍ଲକକୁ ଆଲର୍ଟ ରଖିବା ପାଇଁ କୁହାଯାଇଛି।

Share