
ଭୁବନେଶ୍ୱର, ୨୩।୮(ବ୍ୟୁରୋ): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ୨୦୨୦-୨୧ ଆର୍ଥତ୍କ ବର୍ଷରେ ୬୦୨କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଏମ୍ଜିଏନ୍ଆର୍ଇଜିଏସ୍ ସଂଯୋଜନା କମିଟି ଦ୍ୱାରା ଏସବୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏକ୍ଷେତ୍ରରେ ୭୦କୋଟି ବିନିଯୋଗ କରାଯାଇଥିଲା। ଚାରା ରୋପଣ, ଚାରା ଉତ୍ପାଦନ, ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ, ଜଙ୍ଗଲ ଚତୁଃପାର୍ଶ୍ୱରେ ଟ୍ରେଞ୍ଚ ଖନନ, ମୂଲ୍ୟବାନ କାଠ ଉଦ୍ଧାର, ଜଙ୍ଗଲ ରାସ୍ତା ନିର୍ମାଣ ଆଦି ବନ ପ୍ରକଳ୍ପଗୁଡ଼ିକ ପାଇଁ ଏମ୍ଜିଏନ୍ଆର୍ଇଜିଏସ୍ ସଂଯୋଜନା କମିଟି ମଞ୍ଜୁରୀ ପ୍ରଦାନ କରିଥାଏ। ତେବେ ଚଳିତବର୍ଷ ପ୍ରଥମଥର ପାଇଁ ଏହି ଯୋଜନାରେ ଜଙ୍ଗଲ ରାସ୍ତା ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। ଏଥିସହ ୪୦ହଜାର ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ ଓ ୫ ହଜାର କିମି ବୃକ୍ଷରୋପଣ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ସମସ୍ତ ହିତାଧିକାରୀଙ୍କୁ ୩ କୋଟି ୫୦ ଲକ୍ଷର ଚାରା ବଣ୍ଟନ କରାଯିବ। ଅଗଷ୍ଟ ୧୫ ସୁଦ୍ଧା ୧୭ହଜାର ୩୪୦ ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ, ୨ହଜାର ୬୮୭ କିମି ବୃକ୍ଷରୋପଣ ଏବଂ ୫୮ଲକ୍ଷ ଚାରା ବଣ୍ଟନ କାର୍ଯ୍ୟ ସରିଛି। ମୋଟ ୬୫କୋଟି ଟଙ୍କା ବିନିଯୋଗ ହୋଇସାରିଥିବାବେଳେ ୩୫ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି। ଗତ ଆର୍ଥିକ ବର୍ଷରେ ବନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମୋଟ ୮୬ କୋଟି ଟଙ୍କା ବିନିଯୋଗ କରିଥିଲା। ଜଙ୍ଗଲ ପରିସୀମା ବୃଦ୍ଧି, ଜୈବ ବିବିଧତା ଓ ଜୈବ ମଣ୍ଡଳର ସୁରକ୍ଷା ପାଇଁ ପଦକ୍ଷେପ ବ୍ୟତୀତ ଚଳିତବର୍ଷ କୋଭିଡ୍ ମହାମାରୀ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ କାମ ଧନ୍ଦା ଓ ଜୀବୀକା ଯୋଗାଇ ଦେବା ଦିଗରେ ବିଭାଗର ଅବଦାନ ମହତ୍ତ୍ୱପୂର୍ଣ୍ଣ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।