୬୦୯ କୋଟିର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ୬୦୯ କୋଟି ଟଙ୍କାର ୫ଟି ପ୍ରକଳ୍ପ ସ୍ଥାପନ ହେବ। ଏଥିରେ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଉକ୍ତ ପ୍ରକଳ୍ପଗୁଡିକୁ ଅନୁମୋଦନ ଦିଆଯାଇଛି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ରିଲାଏବଲ ସ୍ପଞ୍ଜ ଲିମିଟେଡ୍‌ ରାଜ୍ୟରେ ବାର୍ଷିକ ୨.୫ ନିୟୁତ ଟନ୍‌(ଏମ୍‌ଟିପିଏ) ଆଇରନ ଓର୍‌ ବେନିଫିକେଶନ ପ୍ଲାଣ୍ଟ ଏବଂ ୨.୦ ଏଟିପିଏ ପେଲେଟ ପ୍ଲାଣ୍ଟ ସ୍ଥାପନ କରିବାକୁ ଆଗ୍ରହ ଦେଖାଇଛି। ଏଥିରେ ଉକ୍ତ କମ୍ପାନୀ ୨୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ। ପ୍ରାୟ ୨୫୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଗ୍ରୋଲଲ ଫିଡ୍‌ସ ଲିମିଟେଡ୍‌ ୬୫.୮୨ କୋଟି ଟଙ୍କାର ଚିଙ୍ଗୁଡି ଓ ମାଛ ଖାଦ୍ୟ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ସେଥିରେ ୭୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଶ୍ରବଣ ସିପିଂ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଯଦୁପୁରଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ଲଜିଷ୍ଟିକ ପାର୍କ ସ୍ଥାପନ କରାଯିିବ। ଏଥିରେ ୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଚିଲିକା ଡିଷ୍ଟିଲେରିଜ୍‌ ୯୯.୯୭ କୋଟି ଟଙ୍କା ବ୍ୟୟରେ ଦୈନିକ ୧୧୦ କିଲୋଲିଟର କ୍ଷମତା ବିଶିଷ୍ଟ ଡିଷ୍ଟିଲେରି ପ୍ଲାଣ୍ଟ ସ୍ଥାପନ କରିବ। ସେଥିରେ ୧୭୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ସୋମ୍‌ ଡିଷ୍ଟିଲେରିଜ୍‌ ଆଣ୍ଡ ବେଭେରିଜ୍‌ ଓଡ଼ିଶା ୯୩ କୋଟି ଟଙ୍କା ବ୍ୟୟରେ ଦୈନିକ ୧୨୦ କିଲୋଲିଟର କ୍ଷମତା ବିଶିଷ୍ଟ ଡିଷ୍ଟିଲେରି ୟୁନିଟ୍‌ ସ୍ଥାପନ କରିବ। ଏ ସମସ୍ତ ପ୍ରକଳ୍ପକୁ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଅନୁମୋଦନ କରାଯାଇଛି। ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ପରିବେଶ ପ୍ରଦୂଷଣ ଉପରେ ଧ୍ୟାନଦେବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପରାମର୍ଶ ଦେଇଛନ୍ତି। ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଯୋଗ ଦେଇଥିଲେ।

Share