Categories: ଜାତୀୟ

ଜୁନ୍‌ ଗ୍ରୀଷ୍ମରେ ୬୧.୯ କୋଟି ଭାରତୀୟ କଲବଲ

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଚଳିତ ଜୁନ୍‌ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି। ଆମେରିକାର ନିରପେକ୍ଷ ବୈଜ୍ଞାନିକମାନଙ୍କ ଏକ ସଂଗଠନ ପକ୍ଷରୁ ପ୍ରକାଶିତ କ୍ଲାଇମେଟ୍‌ ସେଣ୍ଟ୍ରାଲ ରିପୋର୍ଟରୁ ଏହା ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଚାଇନାର ୫୭.୯ କୋଟି, ଇଣ୍ଡୋନେସିଆର ୨୩.୧ କୋଟି, ନାଇଜେରିଆର ୨୦.୬ କୋଟି, ବ୍ରାଜିଲର ୧୭.୬ କୋଟି, ବାଂଲାଦେଶର ୧୭.୧ କୋଟି ଏବଂ ଆମେରିକାର ୧୬.୫ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମରେ କଲବଲ ହୋଇଥିବାବେଳେ ୟୁରୋପରେ ୧୫.୨ କୋଟି, ମେକ୍ସିକୋରେ ୧୨.୩ କୋଟି, ଇଥିଓପିଆରେ ୧୨.୧ କୋଟି ଏବଂ ଇଜିପ୍ଟରେ ୧୦.୩ କୋଟି ଲୋକ ଅନୁରୂପ ଭାବେ ପ୍ରଭାବିତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ ଜୁନ୍‌ ୧୬ରୁ ୨୪ ମଧ୍ୟରେ ଅତ୍ୟଧିକ ଗ୍ରୀଷ୍ମକୁ ସାମ୍‌ନା କରିଥିଲେ, ଯାହାକି ଅନୂ୍ୟନ ୩ ଗୁଣରୁ ଅଧିକ ଥିଲା।
କ୍ଲାଇମେଟ୍‌ ସେଣ୍ଟ୍ରାଲର ମୁଖ୍ୟ ପ୍ରୋଗ୍ରାମ୍‌ ଅଫିସର ଆଣ୍ଡ୍ର୍ୟୁ ପେର୍‌ଶିଂଙ୍କ ମତରେ ଶତାଧିକ ବର୍ଷ ଧରି କୋଇଲା, ତୈଳ ଓ ପ୍ରାକୃତିକ ବାଷ୍ପ ଦହନ ଯୋଗୁ ବିଶ୍ୱ ଅତ୍ୟଧିକ ବିପଜ୍ଜନକ ହୋଇପଡ଼ିଛି। ଚଳିତ ବର୍ଷ ଗ୍ରୀଷ୍ମରେ ସାରା ବିଶ୍ୱରେ ଦେଖାଦେଇଥିବା ଗ୍ରୀଷ୍ମ ଲହର ଅସ୍ବାଭାବିକ ବିପର୍ଯ୍ୟୟ ଥିଲା। କାର୍ବନ ପ୍ରଦୂଷଣ ବନ୍ଦ ନ ହେବା ପର୍ଯ୍ୟନ୍ତ ଏଭଳି ବିପର୍ଯ୍ୟୟ ଅଧିକ ଦେଖିବାକୁ ମିଳିବ ବୋଲି ପେର୍‌ଶିଂ କହିଛନ୍ତି। ଭାରତରେ ଚଳିତ ମାସରେ ୪୦ ହଜାରରୁ ଊର୍ଦ୍ଧ୍ୱ ଅଂଶୁଘାତର ସମ୍ମୁଖୀନ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଶତାଧିକ ପ୍ରାଣ ହରାଇଥିଲେ। ଦିଲ୍ଲୀରେ ଉତ୍କଟ ଜଳସଙ୍କଟ ସାଙ୍ଗକୁ ପାନୀୟ ଜଳ ଯୋଗାଣରେ ବାଧା ଏବଂ ବିଜୁଳି ସମସ୍ୟା ଗ୍ରୀଷ୍ମର ଯନ୍ତ୍ରଣାକୁ ବଢ଼ାଇ ଦେଇଥିଲା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଦେଶର ୪୦ ପ୍ରତିଶତ ଅଞ୍ଚଳରେ ଗ୍ରୀଷ୍ମଲହର ଦିନ ସଂଖ୍ୟା ଦୁଇଗୁଣ ହୋଇଥିଲା। ରାଜସ୍ଥାନରେ ତାପମାତ୍ର ୫୦ ଡିଗ୍ରୀ ଟପିଥିବାବେଳେ ବିଭିନ୍ନ ଅଞ୍ଚଳରେ ରାତିକାଳୀନ ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ଅନୁଭୂତ ହୋଇଥିଲା।

Share