ରାଜ୍ୟର ୬୧ ପ୍ରତିଶତ ଅଞ୍ଚଳରେ ନାହାଁନ୍ତି ପୋଲିସ: ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ଡେରାଡୁନ୍‌, ୨୭।୭: ସୁରକ୍ଷା ଦାୟିତ୍ୱ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାର୍ଯ୍ୟ ପୋଲିସ ବିଭାଗ ଉପରେ ନ୍ୟସ୍ତ ରହିଥାଏ। ତେବେ ଭାରତରେ ଏଭଳି ଏକ ରାଜ୍ୟ ରହିଛି ଯାହାର ୬୧ ପ୍ରତିଶତ ଦୁର୍ଗମ ଅଞ୍ଚଳରେ ପୋଲିସ ନାହାଁନ୍ତି। ସେମାନଙ୍କ ସ୍ଥାନରେ ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ ରହିଛି। ଏହି ରାଜ୍ୟ ହେଉଛି ଉତ୍ତରାଖଣ୍ଡ। ୧୮୬୧ଠାରୁ ବ୍ରିଟିଶ୍‌ ଶାସନ ସମୟଠାରୁ ଏସବୁ ଅଞ୍ଚଳରେ ପୋଲିସ କାମ ରାଜସ୍ବ ବିଭାଗ କର୍ମଚାରୀମାନେ କରିଆସୁଛନ୍ତି। ୧୮୬୧ରେ ଦେଶବ୍ୟାପୀ ପୋଲିସ ଆକ୍ଟ ଲାଗୁ ହୋଇଥିଲେ ମଧ୍ୟ ଉତ୍ତରଖଣ୍ଡର ଦୁର୍ଗମ ଅଞ୍ଚଳକୁ ବ୍ରିଟିଶ୍‌ ସରକାର ନିଜର ସୁରକ୍ଷା ଦୃଷ୍ଟିରୁ ଏଥିରୁ ଦୂରେଇ ରଖିଥିଲେ। ୧୮୫୭ରେ ସିପାହୀ ବିଦ୍ରୋହ ପରେ ଏଭଳି କରିବାକୁ ତତ୍‌କାଳୀନ ବ୍ରିଟିଶ୍‌ ସରକାର ଯୋଜନା କରିଥିଲେ। ତେବେ ୨୦୧୮ରେ ଉତ୍ତରଖଣ୍ଡ ହାଇକୋର୍ଟ ଏହି ବ୍ୟବସ୍ଥାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ପୂର୍ବଭଳି ରାଜସ୍ବ ବିଭାଗ କର୍ମଚାରୀ ପୋଲିସ ଭଳି କାମ କରୁଛନ୍ତି। ୨୦୧୩ରେ କେଦାରନାଥରେ ହୋଇଥିବା ପ୍ରଳୟ ପରେ କୁହାଯାଇଥିଲା ଯେ, ଯଦି ଏଠାରେ ପୋଲିସ ଥାନ୍ତେ ତେବେ କ୍ଷୟକ୍ଷତି ପରିମାଣ କମ୍‌ ହୋଇଥାନ୍ତା। ମାତ୍ର ଏସବୁ ଅଞ୍ଚଳ ବାସିନ୍ଦାଙ୍କ ଅନୁସାରେ ପୋଲିସ ଥାନା ଖୋଲିଲେ ଦୁର୍ନୀତି ବଢ଼ିବ। ତେଣୁ ପୁରୁଣା ଧାରାରେ କାର୍ଯ୍ୟ ଜାରି ରହିବାକୁ ସେମାନେ ସମର୍ଥନ କରୁଛନ୍ତି। ଏହାଦ୍ୱାରା ହାଇକୋର୍ଟ ନିର୍ଦ୍ଦେଶର ଅବମାନନା ହେଉଥିବା ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।

Share