Categories: ବାଣିଜ୍ୟ

ବିଦେଶୀ ମୁଦ୍ରାଭଣ୍ଡାରରେ ୬୧୬ ବିଲିୟନ ଡଲାର

ନୂଆଦିଲ୍ଲୀ,୨୩।୧୨: ଗତ କିଛି ସପ୍ତାହ ହେବ ବିଦେଶୀ ମୁଦ୍ରାଭଣ୍ଡାର ପରିମାଣରେ କ୍ରମାଗତ ବୃଦ୍ଧି ଜାରି ରହିଛି। ବିଶେଷକରି ବିଦେଶୀ ନିବେଶରେ ଲଗାତର ବୃଦ୍ଧି ଯୋଗୁ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ପ୍ରାୟ ୬୧୬(୬୧୫.୯୭୧ ବିଲିୟନ) ବିଲିୟନ ଡଲାରରେ ପହଞ୍ଚତ୍ଛି। ଦେଶରେ ଫରେକ୍ସ ରିଜର୍ଭ ୯.୧୧୨ ବିଲିୟନ ଡଲାର ବୃଦ୍ଧି ଘଟି ୬୧୫.୯୭୧ ବିଲିୟନ ଡଲାରରେ ରହିଛି ବୋଲି ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏପରିକି ୨୦୨୩ ଡିସେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହର କାରବାର ଆଧାରରେ ଆର୍‌ବିଆଇ ପକ୍ଷରୁ ଏଭଳି ତଥ୍ୟ ପ୍ରକାଶିତ ହୋଇଛି। ସେହିଭଳି ପୂର୍ବ ସପ୍ତାହରେ ଫରେକ୍ସ ରିଜର୍ଭ ୬୦୬.୮୫୯ ବିଲିୟନ ଡଲାର ଥିଲା। ଅପରପକ୍ଷରେ ୨୦୨୩ ଡିସେମ୍ବର ୨୨ରେ ବିଦେଶୀ ମୁଦ୍ରାଭଣ୍ଡାରର ଡାଟା ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଛି। ଆର୍‌ବିଆଇର ସୂଚନା ଅନୁସାରେ ୨୦୨୩ ଡିସେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୯.୧୧ ବିଲିୟନ ଡଲାର ବଢିଛି। ଏହି ଅବଧି ମଧ୍ୟରେ ବିଦେଶୀ ମୁଦ୍ରା ସମ୍ପତ୍ତି ୮.୩୪୯ ବିଲିୟନ ଡଲାର ବଢି ୫୪୫.୦୪୮ ବିଲିୟନ ଡଲାର ହୋଇଛି। ସେହିଭଳି ଆର୍‌ବିଆଇର ସୂଚନା ଅନୁସାରେ ଦେଶର ସୁନା ଭଣ୍ଡାରରେ ମଧ୍ୟ ଅଭିବୃଦ୍ଧି ହୋଇଛି। ଆର୍‌ବିଆଇର ଗୋଲ୍ଡ ରିଜର୍ଭ ୪୪୬ ମିଲିୟନ ଡଲାର ବଢି ୪୭.୫୭୭ ବିଲିୟନ ଡଲାର ହୋଇଛି। ସେହିପରି ସ୍ପେସିଆଲ ଡ୍ରଇଂ ରାଇଟ୍ସ (ଏସ୍‌ଡିଆର୍‌) ୧୩୫ ମିଲିୟନ ଡଲାର ବୃଦ୍ଧି ଘଟି ୧୮.୩୨୩ ବିଲିୟନ ଡଲାର ଓ ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଭାରତର ରିଜର୍ଭ ଜମା ୧୮୧ ମିଲିୟନ ଡଲାର ବଢି ୫.୦୨୩ ବିଲିୟନ ଡଲାରରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବରରେ ବିଦେଶୀ ମୁଦ୍ରାଭଣ୍ଡାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ୬୪୫ ବିଲିୟନ ଡଲାର ସ୍ତର ଛୁଇଁଥିଲା। ଏହା ପରେ ବୈଶ୍ୱିକ ଘଟଣାକ୍ରମ ଓ ଭାରତୀୟ ମୁଦ୍ରାକୁ ସଶକ୍ତ କରିବା ପାଇଁ ବିଦେଶୀ ମୁଦ୍ରାଭଣ୍ଡାରକୁ କ୍ରମାଗତ ଭାବେ ବ୍ୟବହାର କରାଯାଇଥିଲା।

Share