୧୧୧ ମୁନ୍‌ ମିଶନରୁ ସଫଳ ହୋଇଛି ୬୨

ଓ୍ବାଶିଂଟନ୍‌,୧୫।୭: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ରିପୋର୍ଟ ମୁତାବକ ୭ ଦଶନ୍ଧିରୁ ଅଦ୍ୟାବଧି ମୋଟ ୧୧୧ ମୁନ୍‌ ମିଶନରୁ ୬୨ଟି ସଫଳ ହୋଇଛି। ସେଗୁଡ଼ିକ ଭିତରୁ ୪୧ଟି ଆଂଶିକ ସଫଳ ହୋଇଥିବା ନାସା କହିଛି।
ଶୁକ୍ରବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ପକ୍ଷରୁ ଚନ୍ଦ୍ରୟାନ-୩ର ସଫଳ ଉତ୍‌କ୍ଷେପଣ କରାଯାଇଛି। ମିଶନର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବା ନେଇ ବୈଜ୍ଞାନିକଗଣ ଆଶାପୋଷଣ କରିଛନ୍ତି। ଯଦି ଏହା ବାସ୍ତବରେ ସତ ହୁଏ ତେବେ ଆମେରିକା, ଚାଇନା ଓ ରୁଷିଆ ପରେ ଭାରତ ଚତୁର୍ଥ ଦେଶ ହେବ। ଚନ୍ଦ୍ରୟାନ-୨ ଲ୍ୟାଣ୍ଡର ଚନ୍ଦ୍ରରେ ହାର୍ଡ ଲ୍ୟାଣ୍ଡିଂ କରିବା ନେଇ ମିଶନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା। ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ପୃଥିବୀର ନିକଟତମ ଉପଗ୍ରହ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ୫୦% ସମ୍ଭାବନା ଥିବା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଜି.ମାଧବନ ନୈର କହିଛନ୍ତି। ମହାକାଶରେ ଘଟୁଥିବା ବିକିରଣ ପ୍ରଭାବରେ କିଛି ଉପକରଣ ନଷ୍ଟ ହୋଇଯିବାର ଆଶଙ୍କା ରହିଛି।
ବହୁତଗୁଡ଼ିଏ ଦେଶ ଉପଗ୍ରହ ଚନ୍ଦ୍ର ସମ୍ପର୍କରେ ଜାଣିବା ସକାଶେ ମୁନ୍‌ ମିଶନ କରିଛନ୍ତି। ୧୯୫୮ ଅଗଷ୍ଟ ୧୭ରେ ଆମେରିକା ପ୍ରଥମଥର ନିଜର ମୁନ୍‌ ମିଶନ ‘ପାଓନିଅର ୦’ ଲଞ୍ଚ କରିଥିଲା, ଯାହା ବିଫଳ ହୋଇଥିଲା। ସେହିବର୍ଷ ଆମେରିକା ଓ ରୁଷିଆ ଲଗାତର ୬ଟି ମୁନ୍‌ ମିଶନ ଲଞ୍ଚ କରିଥିବାବେଳେ କୌଣସିଟି ସଫଳ ହୋଇ ନ ଥିଲା। ୧୯୬୬ ଜାନୁୟାରୀ ୯ରେ ରୁଷିଆ ମୁନ୍‌ ମିଶନ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିଥିଲା, ଯାହା ଚନ୍ଦ୍ରପୃଷ୍ଠରୁ ପ୍ରଥମ ଫଟୋ ମଧ୍ୟ ଉତ୍ତୋଳନ କରିଥିଲା। ୧୯୯୦ ପରଠୁ ଆମେରିକା, ଜାପାନ, ଭାରତ, ଚାଇନା ଏବଂ ୟୁରୋପୀୟ ସଂଘ ୨୧ଟି ମୁନ୍‌ ମିଶନ ଲଞ୍ଚ କରିସାରିଛନ୍ତି।

Share