୬୨ ପ୍ରତିଶତ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ…

ମୁମ୍ବାଇ, ୨୪।୧ : ସୋମବାରଠାରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏବେ ବିଦ୍ୟାଳୟରେ ଅଫଲାଇନ ଶିକ୍ଷା ଆରମ୍ଭ ହେବ। କୋଭିଡ ନିୟମ ଅନୁସରଣ କରି ବିଦ୍ୟାଳୟରେ ଶିକ୍ଷାଦାନ କରାଯିବ। ଉଭୟ ଅଫଲାଇନ ଏବଂ ଅନଲାଇନ୍‌ କ୍ଲାସ ଚାଲିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି ଯେ ତୃତୀୟ ଲହର ଶେଷ ହୋଇ ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ବିଦ୍ୟାଳୟ ଖୋଲିବାକୁ ଏଭଳି ତତ୍ପର ହେଉଛନ୍ତି କାହିଁକି ? ପିଲାମାନଙ୍କୁ ସ୍କୁଲକୁ ଡାକିବା ପାଇଁ ଦୁଇଟି କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ପ୍ରଥମଟି ହେଉଛି କୋଭିଡ ଏସ୍‌ଓପି ଅନୁସରଣ କରିବା ଏବଂ ଦ୍ୱିତୀୟଟି ହେଉଛି ଅଭିଭାବକଙ୍କ ସହମତି।

ଅନଲାଇନ ଏଜେନ୍ସି ଲୋକାଲ ସର୍ଭିସେସ ଦ୍ୱାରା କରାଯାଇଥିବା ଏକ ସର୍ଭେର ଫଳାଫଳ ପରେ ଉଦ୍ଧବ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସର୍ଭେରେ ୬୭ ପ୍ରତିଶତ ପୁରୁଷ ଏବଂ ୩୩ ପ୍ରତିଶତ ମହିଳା ସାମିଲ ହୋଇଥିଲେ। ସର୍ବେକ୍ଷଣ ଅନୁଯାୟୀ, ମହାରାଷ୍ଟ୍ରର ପ୍ରାୟ ୬୨ ପ୍ରତିଶତ ଅଭିଭାବକ ଜାନୁଆରୀ ୨୪ ରୁ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ସପକ୍ଷରେ ନାହାଁନ୍ତି। ସେମାନେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅମଙ୍ଗ ହେଉଛନ୍ତି।

ଏଥି ସହିତ, ୧୧ ପ୍ରତିଶତ ଅଭିଭାବକ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିନାହାଁନ୍ତି। ଏହି ସର୍ବେକ୍ଷଣରେ, ରାଜ୍ୟର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରକୁ ସାମିଲ କରାଯାଇଥିଲା। ସର୍ଭେରେ ୪୯୭୬ ଜଣ ଲୋକ ପ୍ରତିକ୍ରିୟା ଦେଇଛନ୍ତି।

Share