Categories: ଖେଳ

ପିତାଙ୍କ ସ୍ବପ୍ନ ପାଇଁ ୬୨ ବର୍ଷୀୟ କୋଚ୍‌ ହେଲେ ଖେଳାଳି

ବର୍ମିଂହାମ୍‌,୪ା୮(ପି.ଟି): ପିତାଙ୍କ ସ୍ବପ୍ନ ପୂରଣ ପାଇଁ ପାଲଟିଗଲେ ଆଥ୍‌ଲେଟ। ୬୨ ବର୍ଷୀୟ ଟେବୁଲ ଟେନିସ୍‌ କୋଚ୍‌ ଜଣଙ୍କ ନିଜ ପରିବାରର ପରମ୍ପରା ବଜାୟ ରଖିବା ପାଇଁ ଖେଳାଳି ଜର୍ସି ପିନ୍ଧି କୋର୍ଟକୁ ଓହ୍ଲାଇଛନ୍ତି। ଇଂଲଣ୍ଡରେ ଜନ୍ମିତ ଷ୍ଟିଭ୍‌ ରିଲି ଫିଜି ଟିଟି ଦଳର କୋଚ୍‌ ଭାବେ କାର୍ଯ୍ୟ କରନ୍ତି। ୮୪ ବର୍ଷ ପୂର୍ବେ ଷ୍ଟିଭ୍‌ଙ୍କ ପିତା ଜିମ୍‌ ୧୯୩୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ସେ ସମୟରେ ଏହି କ୍ରୀଡ଼ାର ନାମ ବ୍ରିଟିଶ୍‌ ଏମ୍ପାୟାର ଗେମ୍‌ସ ରହିଥିଲା। ୧୯୩୬-୪୩ ଯାଏ ଜିମ୍‌ ସ୍କଟ୍‌ଲାଣ୍ଡ ପକ୍ଷରୁ ବକ୍ସିଂ କରୁଥିଲେ। ଜିମ୍‌ ରିଲି ଯେଉଁ ପୋଷାକ ପିନ୍ଧି ୧୯୩୬ ବକ୍ସିଂ ଚାମ୍ପିୟନଶିପ୍‌ ପଦକ ଜିତିଥିଲେ ସେହି ପୋଷାକ ସହିତ ମ୍ୟାଚ୍‌ ଖେଳିବେ ଷ୍ଟିଭ୍‌।

ପିତା ଜଣେ ବକ୍ସର ରହିଥିବା ବେଳେ ଷ୍ଟିଭ୍‌ଙ୍କୁ ବକ୍ସିଂ ସମେତ ବିଭିନ୍ନ ଖେଳରେ ପ୍ରଶିକ୍ଷଣ ମିଳୁଥିଲା। ଟିଟି ତାଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ ରୟାଲ ନାଭିରେ କାର୍ଯ୍ୟ କରିବା ସମୟରେ ନିଜ ଟିଟି ଦକ୍ଷତାର ବିକାଶ କରିଥିଲେ। ୧୭ ବର୍ଷ ବୟସରେ ନୌସେନାରେ କାମ କରି ୨୨ ବର୍ଷ ସେବା କରିଥିଲେ। ନୌସେନା ଛାଡ଼ିବା ପରେ ଜଣେ ଡାଇଭର ଭାବେ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ। ଏହି ସମୟରେ ଏକ ଚୁକ୍ତିଭିତ୍ତିକ ଚାକିରିରେ ଫିଜିକୁ ଯାଇଥିବା ବେଳେ ୨୦୦୯ରେ ସେଠାକାର ସ୍ଥାୟୀ ବାସିନ୍ଦା ପାଲଟିଗଲେ। ସମୟକ୍ରମେ ଫିଜି ଟିଟି ଦଳର କୋଚ୍‌ ଭାବେ କାର୍ଯ୍ୟ କରିବା ଆରମ୍ଭ କଲେ ଷ୍ଟିଭ୍‌। ଏହା ପୂର୍ବରୁ ଏକାଧିକଥର ତାଙ୍କୁ ଫିଜି ପକ୍ଷରୁ ଖେଳିବା ପାଇଁ ଅଫର ମଧ୍ୟ ଦିଆଯାଇଛି। ହେଲେ ପିତାଙ୍କ ଜନ୍ମଭୂମିରେ ଖେଳିବା ଲାଗି ପୂର୍ବ ଅଫରଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ। ମୋର ଏହି କୃତିତ୍ୱ ପାଇଁ ମୋ ପରିବାର ଗର୍ବ ଅନୁଭବ କରିବ ବୋଲି କହିଛନ୍ତି ଷ୍ଟିଭ୍‌। ଉଲ୍ଲେଖଯୋଗ୍ୟ, ସେ ପୁରୁଷ ସିଙ୍ଗଲ୍ସ, ମିକ୍ସଡ ଡବଲ୍ସ ଓ ଦଳଗତ ଇଭେଣ୍ଟରେ ଫିଜିର ପ୍ରତିନିଧିତ୍ୱ କରିବେ।

Share