କେନ୍ଦ୍ରାପଡ଼ା ଅଫିସ, ୧୪ ।୮: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାନୀୟ ଜଳ ସଙ୍କଟ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ସର୍ବଦା ଆଶଙ୍କାରେ ପକାଇଛି। ତେବେ ଏହାର ସମାଧାନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି। ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ କେନ୍ଦ୍ରାପଡ଼ା ଜିଲାର ୩ ପାନୀୟ ଜଳ ପ୍ରକଳ୍ପ ଓ ୬ ଲୁଣା ବନ୍ଧ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ହୋଇଛି। ଏହି ମର୍ମରେ କେନ୍ଦ୍ରାପଡ଼ା ଜିଲା ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ା ଜିଲା ସଭାପତି ଉତ୍କଳ କେଶରୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ଓ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଯୋଗ ଦେଇଥିଲେ। ସେମାନେ କହିଥିଲେ, ରାଜନଗର ବ୍ଲକ ଅଧୀନ ୨୯ ପଞ୍ଚାୟତର ୨୪୯ ଗ୍ରାମ, ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ୨୯ ପଞ୍ଚାୟତର ୧୩୮ ଗ୍ରାମର ଅଧିବାସୀଙ୍କ ପାଇଁ ସଂସାରଫଳ ଓ ବାଛରାଠାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ ହେବ। ଏହି ଅଞ୍ଚଳରେ ୩,୨୪,୦୪୬ ଜଣ ଏଥିରେ ଉପକୃତ ହେବାକୁ ଥିବା ବେଳେ ବ୍ରାହ୍ମଣୀ ନଦୀରୁ ପାଣି ଉଠାଯିବ। ସେହିପରି ଗରଦପୁର ବ୍ଲକ ଅଧୀନରେ ଥିବା ବାଛରାଠାରେ ଚିତ୍ରୋପତ୍ଳା ନଦୀରୁ ପାଣି ଉତ୍ତୋଳନ କରାଯାଇ ୧୮ ପଞ୍ଚାୟତର ୧୩୫ ଗ୍ରାମକୁ ପାନୀୟ ଜଳ ଯୋଗାଣ ହେବ। ଆସନ୍ତା ୨ ବର୍ଷ ମଧ୍ୟରେ ଏହି ୩ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ବନ୍ୟା, ସାମୁଦ୍ରିକ ଝଡ଼ ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ତଟବନ୍ଧ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ମହାକାଳପଡ଼ା ବ୍ଲକ ବତୀଘରଠାରେ ୧୦ କିଲୋମିଟର ଲୁଣା ତଟବନ୍ଧକୁ ୬ ମିଟର ଉଚ୍ଚା କରାଯିବ।ଏଥିସହ ଏହି ବ୍ଲକର ଖରିନାସୀ ତଟବନ୍ଧ, ଜମ୍ବୁ ବଉଳକଣୀ ତଟବନ୍ଧ, ବଗଗହଣ ତରପଦାଘାଟ, ରାଢ଼ିଆ କଂସାର ଓ ନଳିତାପାଟିଆ ଲୁଣା ତଟବନ୍ଧ ପାଇଁ ମୋଟ ୨୦,୫୬୨.୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ସମ୍ମିଳନୀରେ ଜିଲା ବିଜେଡିର ବହୁ ପଦାଧିକାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ା