ଶେରଗଡ଼, ୪।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶେରଗଡ଼ ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ତେବେ ବିଗତ ୪ମାସ ମଧ୍ୟରେ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଛି। ସେଥିମଧ୍ୟରୁ ୨୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣଙ୍କ ମୃତ୍ୟ ଘଟିଛି। ୧୧ଜଣ ହୋମ୍ ଆଇସୋଲେଶନରେ ଥିବା ବେଳେ ଅନ୍ୟ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ବିଡିଓ ସୁରଞ୍ଜନ କୁମାର ସାହୁ ସୂଚନା ଦେଇଛନ୍ତି। ବ୍ଲକର ୨୧ଗ୍ରାମକୁ ପ୍ରଶାସନ ପକ୍ଷରୁ ରେଡ୍ ଜୋନ ଭାବେ ଘୋଷଣା କରାଯିବା ପରେ ସ୍ବାବ୍ ଟେଷ୍ଟ ଆରମ୍ଭ ହୋଇଥିଲା। ଶେରଗଡ଼ରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଆଗକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ। ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ବ୍ୟବହାର କରିବା ଜରୁରୀ ବୋଲି ସ୍ଥାନୀୟ ତହସିଲଦାର ଡ. ଦୟାସିନ୍ଧୁ ପରିଡା କହିଛନ୍ତି । ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି ।