୬୩ ହଜାର ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡ୍ସ ହ୍ରାସ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା’ ସହିତ ଉଚ୍ଚ ପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁ୍‌ଡ଼ିକ ପୂରଣ ହୋଇପାରିବ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ। ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଚତୁର୍ଥ ସ୍ତରକୁ ପଦୋନ୍ନତି ପାଇବେ। ସେହିପରି ଚତୁର୍ଥ ସ୍ତରରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ତୃତୀୟ ସ୍ତରକୁ ପଦୋନ୍ନତି ପାଇବେ।

୫(ବି) ସ୍ତରରେ ଥିବା ସହକାରୀ ଶିକ୍ଷକ ମାନଙ୍କ ପାଇଁ ରେସିଡେନ୍ସି ପିରିଅଡକୁ ଏକ ବର୍ଷରୁ ୬ ମାସକୁ ହ୍ରାସ କରାଯାଇଥିବା ବେଳେ ଚତୁର୍ଥ ସ୍ତରରୁ ତୃତୀୟ ସ୍ତରକୁ ପଦୋନ୍ନତି ପାଇଁ ରେସିଡେନ୍ସି ପିରିଅଡ ସୀମାକୁ ୨ ବର୍ଷରୁ ବର୍ଷେ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Share