Categories: ଜାତୀୟ

ସଂସ୍କୃତ ପାଇଁ ୬୪୦ କୋଟି ଟଙ୍କା, ଓଡ଼ିଆକୁ ଶୂନ

ନୂଆଦିଲ୍ଲୀ, ୬ା୪: ଭାରତରେ ୬ଟି ଶାସ୍ତ୍ରୀୟ ଭାଷା ରହିଛି। ସେଗୁଡ଼ିକୁ ହେଲା ତାମିଲ, ତେଲୁଗୁ, ସଂସ୍କୃତ, କନ୍ନଡ଼, ମାଲୟାଲମ୍‌ ଏବଂ ଓଡ଼ିଆ। ଭାରତର ମାତ୍ର ୧୫ ହଜାର ଲୋକ କହୁଥିବା ସଂସ୍କୃତ ଭାଷାର ବିକାଶ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାମିଲ ଭାଷାର ବିକାଶ ଲାଗି ମାତ୍ର ୨୪ କୋଟି, ତେଲୁଗୁ ପାଇଁ ୩ କୋଟି ଏବଂ କନ୍ନଡ଼ ଭାଷାର ଉନ୍ନତି ସକାଶେ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଏହି ଅବଧି ମଧ୍ୟରେ ଓଡ଼ିଆ ଓ ମାଲୟାଲମ ଭାଷା ପାଇଁ ଟଙ୍କାଏ ମଧ୍ୟ ବ୍ୟୟବରାଦ କରାଯାଇ ନାହିଁ ବୋଲି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସର ରାଜ୍ୟ ସଭା ସଦସ୍ୟ ଜୟରାମ ରମେଶ।

କର୍ନାଟକରୁ ପାର୍ଲାମେଣ୍ଟର ଉଚ୍ଚ ସଦନରେ ପ୍ରତିନିଧିତ୍ୱ କରୁଥିବା ଜୟରାମ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ବେଳେ ଗତ ୧୬ ତାରିଖରେ କହିଥିଲେ, ଭାରତର ଅଧିକାଂଶ ଲୋକ ସଂସ୍କୃତ ଭାଷା କୁହନ୍ତି ନାହିଁ। ଏହା ଏକ କଥିତ ଭାଷା ନୁହେଁ। ପୂଜକମାନେ ସଂସ୍କୃତ ବ୍ୟବହାର କରନ୍ତି। ଦେଶର ମୋଟ ୧୫ ହଜାର ଲୋକ ସଂସ୍କୃତ ଭାଷାରେ ଭାବର ଆଦାନପ୍ରଦାନ କରିଥାନ୍ତି।

୨୦୨୨ ଫେବୃୟାରୀ ୩ରେ ଲୋକ ସଭାରେ ଏକ ଅଣତାରକା ପ୍ରଶ୍ନ (ନଂ.୧୭୧) କରାଯାଇଥିଲା। ସଂସ୍କୃତ ଏବଂ ଅନ୍ୟ ଭାରତୀୟ ଶାସ୍ତ୍ରୀୟ ଭାଷାଗୁଡ଼ିକ ପାଇଁ ଗତ ୩ ବର୍ଷ ମଧ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା। ମନ୍ତ୍ରୀଙ୍କଠାରୁ ମିଳିଥିବା ଉତ୍ତରକୁ ମୁଁ ଗୃହରେ ଶେୟାର କରିବା ପାଇଁ ଚାହୁଁଛି। କାରଣ ସଂସ୍କୃତକୁ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଥିବାରୁ ଆମେ ବିପଦରେ ପଡ଼ିଯାଇଛୁ। ଭାରତ ସରକାର ଗତ ୩ ବର୍ଷ ମଧ୍ୟରେ ସଂସ୍କୃତ ଭାଷାକୁ ଲୋକପ୍ରିୟ କରାଇବା ପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଅନ୍ୟ ଶାସ୍ତ୍ରୀୟ ଭାଷାଗୁଡ଼ିକ ଉପରେ ଖର୍ଚ୍ଚ କରାଯାଇଥିବା ଅର୍ଥ ଅତି ନଗଣ୍ୟ। କେନ୍ଦ୍ରର ଏପରି ପାତରଅନ୍ତର ନୀତିକୁ ଜୟରାମ ନିନ୍ଦା କରିଛନ୍ତି।

Share