ଓଡ଼ଗାଁ,୩ା୨(ସ୍ବ.ପ୍ର.): ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ରଙ୍ଗଣୀପାଟଣା ଛକରୁ ବନ ବିଭାଗ ୬୫ କେଜି ଜଙ୍ଗଲୀ ମାଂସ ସହିତ ଏକ ଗାଡ଼ି ଜବତ ହୋଇଛି। ଏହା ସହିତ କୋମଣ୍ଡ ପଞ୍ଚାୟତ ବାଦଭୂମି ଗ୍ରାମର ବିଦେଶୀ ନାୟକ (୨୮)ଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ସକାଳେ ବିଦେଶୀ ଜଙ୍ଗଲୀ ମାଂସ ନେଇ ଆସୁଥିବା ସୂଚନାପାଇ ବଣ ବିଭାଗ ରଙ୍ଗଣୀପାଟଣା ଛକରେ ପାଟ୍ରୋଲିଂ କରୁଥିବା ବେଳେ ବିଦେଶୀଙ୍କୁ କାବୁ କରିଥିଲେ। ବିଦେଶୀ ଓଡି ୨୫ ଏଚ୍ ୦୮୧୦ ନମ୍ବର ବିଶିଷ୍ଟ ମୋପେଡରେ ପ୍ଲାଷ୍ଟିକ ଟ୍ରେ ଭିତରେ ୭୦ରୁ ଊର୍ଦ୍ଧ୍ୱ ଜଙ୍ଗଲୀ ମାଂସ ପଲିଥିନ ପ୍ୟାକେଟ ନେଇ ରଙ୍ଗଣୀପାଟଣା ଗ୍ରାମକୁ ଯାଉଥିବା ବେଳେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି। ବନ ବିଭାଗ ମାଂସ ଜବତ କରିବା ସହିତ ଏହାର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିବା ପରେ ଅବଶିଷ୍ଟ ରେଞ୍ଜ ଅଫିସ କାର୍ଯ୍ୟାଳୟରେ ପୋତିଦେଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହିତ କୋର୍ଟ ଚାଲାଣ କରାଯିବ ବୋଲି ରଞ୍ଜର ଆଶିଷ କୁମାର କଅଁର ସୂଚନା ଦେଇଛନ୍ତି।