ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ବିରାଟ ପରିବର୍ତ୍ତନ: ୧୫ ଜିଲାରେ ୬୭ ଆମ ହସ୍ପିଟାଲ ଉଦ୍‌ଘାଟିତ

ଭୁବନେଶ୍ୱର,୨୬ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ ଜିଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲିସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡ଼ାରେ ବିଏମ୍‌ଆର୍‌ସି କାର୍ଡିଆକ୍‌ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏଥିସହିତ ଖୋର୍ଦ୍ଧା ଜିଲା ବେଗୁନିଆ ଉପଜିଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ। ସରକାରୀ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। ୫-ଟି ଅଧ୍ୟକ୍ଷଙ୍କ ଜିଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି । ଏହା ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟରେ ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ୧ ବର୍ଷ ମଧ୍ୟରେ ୪ହଜାର ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରିବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଜି ସାରା ଓଡ଼ିଶାରେ ମଡେଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share