ମୁମ୍ବାଇ, ୧୮ା୭: ମହାରାଷ୍ଟ୍ରରେ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିବା ପାଠ୍ୟକ୍ରମରେ ଏକ ବଡ଼ ଭୁଲ ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଣୀର ମରାଠୀ ବାଲ ଭାରତୀ ପୁସ୍ତକରେ ବିପ୍ଲବୀ ସୁଖଦେବଙ୍କ ସ୍ଥାନରେ କୁର୍ବାନ ହୁସେନଙ୍କ ନାମ ଛପା ହୋଇଥିବା ଦେଖିବାକୁ ମିଳିଛି। ବିପ୍ଲବୀ ଭାଗବତ ସିଂହ ଓ ରାଜଗୁରୁଙ୍କ ସହ କୁରବାନ ହୁସେନଙ୍କୁ ଫାଶୀ ଦିଆଯାଇଥିଲା, ସୁଖଦେବଙ୍କୁ ନୁହେଁ ବୋଲି ପିଲାମାନଙ୍କୁ ଏଠାରେ ଶିକ୍ଷା ଦିଆଯାଉଛି। ଏହି ଭୁଲ ଇତିହାସକୁ ନେଇ ମହାରାଷ୍ଟ୍ରରେ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବହିରେ ଥିବା ଏହି ଭୁଲ ଇତିହାସକୁ ନେଇ ବ୍ରାହ୍ମଣ ମହାସଂଘ ଆପତ୍ତି ଉଠାଇଛି।
ଏଥିସହ ମହାରାଷ୍ଟ୍ରର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟ ଏହାକୁ ବିରୋଧ କରିଛି। ଇତିହାସକୁ କେବେ ବଦଳାଯାଇପାରିବ ନାହିଁ ବରଂ ଏହାକୁ ସମ୍ମାନ ଦିଆଯିବା ଉଚିତ ବୋଲି ଭାଜପା ମୁଖପାତ୍ର ରାମ କାଦାମ କହିଛନ୍ତି। ଏହାସହ ରାମ କଦମ ମହାରାଷ୍ଟ୍ର ସରକାରଙ୍କୁ ଟର୍ଗେଟ କରି କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ରାଜ୍ୟ ସରକାର ସୁଖଦେବଙ୍କୁ କିପରି ଭୁଲିଗଲେ। ଅନ୍ୟପଟେ ଏନେଇ କଂଗ୍ରେସ ନିଜର ସଫେଇ ରଖିଛି। ଏହି ଲେଖା ମରାଠୀ ବିଷୟର ଇତିହାସର ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଲେଖକ ୟଦୁ ସତ୍ୟଜିତଙ୍କ ଏକ ଆର୍ଟିକଲ୍ର ଅଂଶକୁ ମରାଠୀ ପୁସ୍ତକରେ ଛପାଯାଇଛି। ସେହିପରି କୁରବାନ ହୁସେନ ମଧ୍ୟ ଦେଶ ପାଇଁ ବଳିଦାନ ଦେଇଛନ୍ତି, ତାଙ୍କୁ ମଧ୍ୟ ଫାଶୀ ଦିଆଯାଇଥିଲା, ତେଣୁ କୁର୍ବାନଙ୍କ ବଳିଦାନକୁ ତୁଚ୍ଛ କର ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ତେବେ ଏହି ପୁସ୍ତକ ପୂର୍ବତନ ଫଡ୍ନାଭିସ ସରକାରରେ ଛପା ଯାଇଥିଲା ବର୍ତ୍ତମାନର ମହାବିକାଶ ଆଘାଡ଼ି ସରକାରରେ ନୁହେଁ ବୋଲି କଂଗ୍ରେସ ସ୍ପଷ୍ଟ କରିଛି।