Categories: ଜାତୀୟ

ଦିଲ୍ଲୀରେ ଶିଶୁଚାଲାଣ ୬୮% ବୃଦ୍ଧି

ନୂଆଦିଲ୍ଲୀ,୩୧ା୭: ଦେଶର ରାଜଧାନୀ ଦିଲ୍ଲୀରେ ଶିଶୁ ଚାଲାଣ ଚିନ୍ତାଜନକ ହୋଇଛି। କୋଭିଡ୍‌ର ପୂର୍ବ ଓ ପରବର୍ତ୍ତୀ ସମୟକୁ ତୁଳନା କଲେ ଏଠାରେ ଶିଶୁ ଚାଲାଣ ମାମଲା ୬୮% ବୃଦ୍ଧି ପାଇଛି। ତେବେ ୨୦୧୬ରୁ ୨୦୨୨ ମଧ୍ୟରେ ହୋଇଥିବା ଶିଶୁ ଚାଲାଣ ଅଭିଯୋଗ ସମ୍ପର୍କିତ ତାଲିକାରେ ଶୀର୍ଷରେ ରହିଛି ଉତ୍ତରପ୍ରଦେଶ। ଏହା ପଛକୁ ରହିଛି ବିହାର ଏବଂ ଆନ୍ଧ୍ରପ୍ରଦେଶ। ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ସମାଜସେବୀ କୈଳାସ ସତ୍ୟାର୍ଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ୍‌ ଫାଉଣ୍ଡେଶନ’ (କେଏସ୍‌ସିଏଫ୍‌) ଏବଂ ‘ଗେମ୍ସ୨୪x୭’ ଦ୍ୱାରା ହୋଇଥିବା ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି। ‘ଚାଇଲ୍ଡ ଟ୍ରାଫିକିଂ ଇନ୍‌ ଇଣ୍ଡିଆ: ଇନ୍‌ସାଇଟ୍‌ସ ଫ୍ରମ୍‌ ସିଚ୍ୟୁଏଶନ ଡାଟା ଆନାଲିସିସ୍‌ ଆଣ୍ଡ ଦ ନିଡ୍‌ ଫର୍‌ ଟେକ୍‌-ଡ୍ରିଭେନ୍‌ ଇଣ୍ଟରଭେନ୍‌ଶନ ଷ୍ଟ୍ରାଟେଜିସ୍‌’ ଶୀର୍ଷକ ଏହି ରିପୋର୍ଟ ରବିବାର ବିଶ୍ୱ ମାନବ ଚାଲାଣ ନିରୋଧ ଦିବସ ଅବସରରେ ପ୍ରକାଶ ପାଇଛି।
ଶିଶୁ ଚାଲାଣ କ୍ଷେତ୍ରରେ ଶୀର୍ଷରେ ଥିବା ଜିଲା ହେଉଛି ରାଜସ୍ଥାନର ଜୟପୁର। ଜୟପୁର ସହର ଦେଶରେ ଶିଶୁ ଚାଲାଣର ହଟସ୍ପଟ୍‌ ଭାବେ ଉଭା ହୋଇଛି। ଏହା ପଛକୁ ଥିବା ଅନ୍ୟ ୪ଟି ଜିଲା ରାଜଧାନୀ ଦିଲ୍ଲୀରେ ରହିଛି। ‘ଗେମ୍ସ୨୪x୭’ ଏବଂ କେଏସ୍‌ସିଏଫ୍‌ ପକ୍ଷରୁ ୨୧ ରାଜ୍ୟର ୨୬୨ ଜିଲାରେ ୨୦୧୬ରୁ ୨୦୨୨ ମଧ୍ୟରେ ହୋଇଥିବା ଶିଶୁ ଚାଲାଣ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏହି ସମୟ ମଧ୍ୟରେ ୧୮ ବର୍ଷରୁ କମ୍‌ ୧୩,୫୪୯ ଶିଶୁ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ବୟସ ୧୩ରୁ ୧୮ ବର୍ଷ ମଧ୍ୟରେ ହୋଇଥିବାବେଳେ ୧୩ ପ୍ରତିଶତ ହେଉଛନ୍ତି ୯ରୁ ୧୨ ବର୍ଷ ବୟସର। ଏଥିରୁ ସ୍ପଷ୍ଟ ହେଉଛି ଯେ, ସବୁ ବୟସର ପିଲା ଚାଲାଣର ଶିକାର ହେଉଛନ୍ତି।
ଏହି ରିପୋର୍ଟ ବିଭିନ୍ନ ଇଣ୍ଡଷ୍ଟ୍ରିକୁ ମଧ୍ୟ ଫୋକସ୍‌ କରିଛି, ଯେଉଁଠି ଶିଶୁମାନଙ୍କୁ ନିୟୋଜିତ କରାଯାଉଛି। ହୋଟେଲ ଏବଂ ଢାବାରେ ଶିଶୁଶ୍ରମିକଙ୍କ ସଂଖ୍ୟା ସର୍ବାଧିକ (୧୫.୬%)। ଏହାପଛକୁ ଅଟୋମୋବାଇଲ ଏବଂ ଟ୍ରାନ୍ସପୋର୍ଟ ଇଣ୍ଡଷ୍ଟ୍ରିରେ ୧୩% ଏବଂ ଗାରମେଣ୍ଟ ଇଣ୍ଡଷ୍ଟ୍ରିରେ ୧୧.୧୮% ଶିଶୁ ଶ୍ରମିକ ନିୟୋଜିତ ହୋଇଛନ୍ତି। ସେହିପରି ୫ରୁ ୮ ବର୍ଷ ବୟସର ପିଲାମାନେ ପ୍ରସାଧନ ଶିଳ୍ପରେ ନିୟୋଜିତ ଥିବା ରିପୋର୍ଟରେ ଦର୍ଶାଯାଇଛି।
ବିଭିନ୍ନ ରାଜ୍ୟରେ ଶିଶୁ ଚାଲାଣ ମାମଲା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଥିବାବେଳେ ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ଦୃଷ୍ଟି ଆକର୍ଷଣ କରିଛି। ଏଠାରେ ୨୦୧୬ରୁ ୨୦୧୯ ମଧ୍ୟରେ ଅର୍ଥାତ୍‌ କୋଭିଡ୍‌ର ପୂର୍ବ ସମୟରେ ଶିଶୁ ଚାଲାଣ ସମ୍ପର୍କିତ ୨୬୭ଟି ଅଭିଯୋଗ ହୋଇଛି। କିନ୍ତୁ କୋଭିଡ୍‌ ପରବର୍ତ୍ତୀ ଅର୍ଥାତ୍‌ ୨୦୨୧ରୁ ୨୦୨୨ ମଧ୍ୟରେ ଏହି ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ତେବେ କର୍ନାଟକରେ ଶିଶୁ ଚାଲାଣ ଅଭିଯୋଗ ୧୮ଗୁଣା ବଢ଼ିଛି। ଏଠାରେ ହୋଇଥିବା ଅଭିଯୋଗ ୬ରୁ ୧୧୦କୁ ବୃଦ୍ଧି ପାଇଛି। ଏଭଳି ଉଦ୍‌ବେଗଜନକ ପରିସଂଖ୍ୟାନ ସତ୍ତ୍ୱେ ବିଗତ ଏକ ଦଶନ୍ଧି ମଧ୍ୟରେ ସରକାରୀ ତଥା ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ସକ୍ରିୟତାର ସକାରାତ୍ମକ ପ୍ରଭାବ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ଏବଂ ସଚେତନତା ଅଭିଯାନ ଯୋଗୁ ଶିଶୁଚାଲାଣ ସମ୍ପର୍କିତ ଅଭିଯୋଗ ବୃଦ୍ଧି ପାଇଛି। ଏହାସହ ଶିଶୁ ଚାଲାଣ ସଂଖ୍ୟାରେ ହ୍ରାସ ଘଟିଛି ବୋଲି ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ସାମାଜିକ ଦୁଃସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବା ପାଇଁ ଏକ ବିସ୍ତୃତ ଶିଶୁ ଚାଲାଣ ନିରୋଧୀ ଆଇନ ଆବଶ୍ୟକତା ଥିବା ନେଇ ରିପୋର୍ଟ ଗୁରୁତ୍ୱାରୋପ କରିଛି।

Share