Categories: ଜାତୀୟ

ଧମେନ୍ଦ୍ର ପ୍ରଧାନ,ମନମୋହନ ସିଂ, ସଞ୍ଜୟ ସିଂଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏହି ବର୍ଷ ଶେଷ ହେବ

ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ୯ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବ। ୬୮ ଆସନ ମଧ୍ୟରୁ ଦିଲ୍ଲୀର ୩ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଛି। ଉକ୍ତ ଆସନର ଏଏପି ନେତା ସଞ୍ଜୟ ସିଂ, ନାରାୟଣ ଦାସଗୁପ୍ତା ଏବଂ ସୁଶୀଲ କୁମାର ଗୁପ୍ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ରେ ଶେଷ ହେବାକୁ ଯାଉଛି। ସେହିପରି ସିକିମ୍‌ରୁ ଖାଲିହେବାକୁ ଥିବା ଏକମାତ୍ର ଆସନ ପାଇଁ ମଧ୍ୟ ନିର୍ବାଚନ ଘୋଷଣା କରାଯାଇଛି। ଫେବୃୟାରୀ ୨୩ରେ ଉକ୍ତ ଆସନରୁ ଏମ୍‌ପି ଥିବା ଏସ୍‌ଡିଏଫ୍‌ ନେତା ହିଶେୟ ଲାଚୁଙ୍ଗପା ଅବସର ନେବେ। ଆସନ୍ତା ଏପ୍ରିଲରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟକାଳ ଶେଷ ହେବ। ସେହିପରି ଓଡ଼ିଶାରୁ ବିଜେଡି ସଦସ୍ୟ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ, ଭାଜପା ମୁଖ୍ୟ ମୁଖପାତ୍ର ଅନିଲ ବାଲୁନି (ଉତ୍ତରାଖଣ୍ଡ), ମତ୍ସ୍ୟ ସମ୍ପଦ ମନ୍ତ୍ରୀ ପରଷୋତ୍ତମ ରୁପାଲା, ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନାରାୟଣ ରାଣେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ପ୍ରମୁଖଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।
ଉତ୍ତରପ୍ରଦେଶରୁ ସର୍ବାଧିକ ୧୦ ରାଜ୍ୟ ସଭା ଆସନ ଖାଲି ହେବାକୁ ଥିବାବେଳେ ବିହାର ଏବଂ ମହାରାଷ୍ଟ୍ରରୁ ୬ଟି ଲେଖାଏ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ୫ ଲେଖାଏ, କର୍ନାଟକ ଓ ଗୁଜରାଟରେ ୪ଟି ଲେଖାଏ, ଓଡ଼ିଶା, ତେଲଙ୍ଗାନା, କେରଳ ଓ ଆନ୍ଧ୍ର୍ରପ୍ରଦେଶରେ ୩ଟି ଲେଖାଏ ଆସନ ଖାଲି ହେବ। ସେହିପରି ଝାଡ଼ଖଣ୍ଡ ଓ ରାଜସ୍ଥାନରୁ ୨ଟି ଲେଖାଏ ଆସନ ଖାଲି ହେବାକୁ ଥିବାବେଳେ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ହରିୟାଣା ଏବଂ ଛତିଶଗଡ଼ରୁ ଗୋଟିଏ ଲେଖାଏ ଆସନ ଖାଲି ହେବାକୁ ଯାଉଛି। ଜୁଲାଇରେ ୪ ମନୋନୀତ ସଦସ୍ୟ ମଧ୍ୟ ଅବସର ନେବେ। ହିମାଚଳପ୍ରଦେଶରେ କଂଗ୍ରେସ କ୍ଷମତାରେ ଥିବାରୁ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଅନ୍ୟ କୌଣସି ରାଜ୍ୟରୁ ରାଜ୍ୟ ସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ସେହିପରି କର୍ନାଟକ ଓ ତେଲଙ୍ଗାନାରେ କଂଗ୍ରେସ କ୍ଷମତାରେ ଥିବାରୁ ସେଠାରୁ ଦଳୀୟ ପ୍ରତିନିଧିଙ୍କୁ ରାଜ୍ୟ ସଭାକୁ ପଠାଇବ। କର୍ନାଟକରୁ ୪ ସଦସ୍ୟ ଚଳିତ ବର୍ଷ ଅବସର ନେଉଥିବାବେଳେ ତେଲଙ୍ଗାନାରୁ ୩ ଜଣଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହିସବୁ ଆସନ ପାଇଁ ଚଳିତ ବର୍ଷ ନିର୍ବାଚନ ହେବାକୁ ଯାଉଛି। ମନୋନୀତ ସଦସ୍ୟଙ୍କ ମଧ୍ୟରୁ ମହେଶ ଜେଠମାଲାନି, ସୋନାଲ ମାନ୍‌ସିଂ, ରାମ ଶକଲ ଏବଂ ରାକେଶ ସିହ୍ନା ଜୁଲାଇରେ ଅବସର ନେବେ।

Share