ଝାରସୁଗୁଡ଼ା ଉପକାରାଗାରର ୬୮ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୫।୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଜିଲାରେ ପ୍ରତିଦିନ ୩ ଶହରୁ ୫ଶହ ପଜିଟିଭ୍‌ ଚିହ୍ନଟ ହୋଉଛନ୍ତି। ଫଳରେ ଜିଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଶନିବାର ଝାରସୁଗୁଡ଼ା ଉପକାରାଗାରର ୬୮ଜଣ ଅନ୍ତେବାସୀ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ଅନ୍ତେବାସୀ ସୁସ୍ଥ ଥିବା ବେଳେ ସେମାନଙ୍କୁ ଜେଲ୍‌ର ୨ଟି ଓ୍ବାର୍ଡରେ ଆଇସୋଲେଶନରେ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜେଲ କର୍ତ୍ତୃପକ୍ଷ ଜେଲ୍‌ ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ।

ସୂଚନାଯୋଗ୍ୟ ଜେଲରେ ୨୮୨ଜଣ ଅନ୍ତେବାସୀ ରହିଥିବା ବେଳେ ଗତ ୧,୨,୫ ଏବଂ ୬ ତାରିଖରେ ପର୍ଯ୍ୟାୟ କ୍ରମେ କରୋନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬୮ଜଣ ଅନ୍ତେବାସୀଙ୍କ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ଜେଲର ଦେବେନ୍ଦ୍ର ଥାର୍ଟୀଙ୍କ ସୂତ୍ରରୁ ଜଣାପଡ଼ିଛି। ଜେଲର ଦେବେନ୍ଦ୍ର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୮ ତାରିଖରୁ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ଏକାସାଙ୍ଗରେ ଏତେ ସଂଖ୍ୟକ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଜେଲ୍‌ ସୁରକ୍ଷାକୁ ନେଇ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି।