Categories: ଜାତୀୟ

୬୮% ବିଜେତା ଦାଗୀ, ୮୧% କୋଟିପତି

ନୂଆଦିଲ୍ଲୀ,୧୨ା୧୧: ବିହାର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ୨୪୩ ଜଣଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୧% ବିଜେତା କୋଟିପତି ବୋଲି ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ବୁଧବାର କୁହାଯାଇଛି। ନବନିର୍ବାଚିତ ୨୪୧ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଳେଷଣ କରାଯିବା ପରେ ଜଣାପଡ଼ିଛି ଯେ, ୧୬୩ ଜଣ ଅର୍ଥାତ୍‌ ୬୮ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୨୩ ଜଣ ବା ୫୧% ହେଉଛନ୍ତି ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଓ ମହିଳା ବିରୋଧୀ ଅପରାଧ ଭଳି ସଙ୍ଗିନ ମାମଲାରେ ଅଭିଯୁକ୍ତ। ଆର୍‌ଜେଡିର ୪୪, ଭାଜପା ୩୫, ଜେଡିୟୁ ୧୧ ଓ କଂଗ୍ରେସର ୧୧ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ଏପରି ମାମଲା ରହିଛି। ଅନ୍ୟପକ୍ଷରେ ୧୯୪ ଜଣ ସେମାନଙ୍କ ନିକଟରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଭାଜପାରେ ସବୁଠୁ ଅଧିକ ୭୩ ଜଣ କୋଟିପତି ଥିବାବେଳେ ଦ୍ୱିତୀୟରେ ରାଷ୍ଟ୍ରୀୟ ଜନତା ଦଳ(୬୪) ଓ ତୃତୀୟରେ ସଂଯୁକ୍ତ ଜନତା ଦଳ (୩୮) ପ୍ରାର୍ଥୀ ରହିଛନ୍ତି।

Share