ଝିଅ ବାହାଘର ପାଇଁ ଥିବା ୬୯ ଗ୍ରାମ୍‌ ସୁନା ଅଳଙ୍କାର ଚୋରି

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ଆଜାଦ ନଗର ଏକ ଘରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଘରର ଗ୍ରିଲ ଓ କବାଟ ଭାଙ୍ଗି ଝିଅ ବାହାଝର ପାଇଁ କିଣା ହୋଇଥିବା ୬୯ ଗ୍ରାମ୍‌ ସୁନା ଅଳଙ୍କାର ଓ ନଗଦ ୫ ହଜାର ଟଙ୍କା ଚୋରି କରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଆଜାଦ ନଗରରେ ଭଡ଼ା ଘର ନେଇ ରହୁଥିବା ଜି.ରାମଣା ବିଶାଖାପାଟଣାସ୍ଥିତ ଏକ ସମ୍ପର୍କୀୟଙ୍କ ଘରକୁ ପରିବାର ବର୍ଗ ସହିତ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘର ଗ୍ରୀଲ ଭାଙ୍ଗି ଚୋରି କରିଥିବା ଜଣାପଡିଛି। ଏହି ସମ୍ପର୍କରେ ଜେକେପୁରସ୍ଥିତ ତାଙ୍କ ସମ୍ପର୍କୀୟଙ୍କଠାରୁ ଖବରପାଇ ଜି.ରାମଣା ବିଶାଖାପାଟଣାରୁ ବାହାରି ଘରେ ପହଞ୍ଚି ଚୋରି ହୋଇଥିବା ଦେଖି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଝିଅର ବାହାଘର ପାଇଁ ସେ କିଛି ଦିନ ତଳେ ସୁନା ଅଳଙ୍କାର କିଣି ଘରେ ରଖିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଘରୁ ୪୬ ଗ୍ରାମର ଗୋଟିଏ ହାର, ୨୩ ଗ୍ରାମର ସୁନା ଚେନ୍‌ ସମେତ ୨ଟି ସୁନା ମୁଦି ଏବଂ ୨ ହଳ କାନଫୁଲ ଓ ୫ ହଜାର ଟଙ୍କା ନଗଦ ଟଙ୍କା ଚୋରି କରିଥିବା ରାମଣା ଅଭିଯୋଗ କରିଛନ୍ତି।

ଦୁର୍ବୃତ୍ତମାନେ ଘର ମୁଖ୍ୟ ଦ୍ୱାରରେ ଲାଗିଥିବା ଗ୍ରୀଲ ଓ କାଠ କବାଟ ଭାଙ୍ଗି ଘର ଭିତରେ ପଶିଥିବା ଦେଖିବାକୁ ମିଳିଛି । ତେବେ ଘର ଭିତରେ ଏକ ରୁମର ତାଲା ଭାଙ୍ଗି ଉକ୍ତ ରୁମରେ ରହିଥିବା ଆଲମାରି ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଓ ଟଙ୍କା ଚୋରି କରି ନେଇଛନ୍ତି \।

 

Share