କଟକ: ୬୯ ଗାଁକୁ ପଶିଛି ବନ୍ୟାଜଳ

କଟକ ଅଫିସ୍‌,୩୧।୮: ମହାନଦୀରେ ବନ୍ୟାଜଳ ପ୍ରବେଶ କରିବା ପରେ କଟକ ଜିଲାର ୮ଟି ବ୍ଲକର ୩୯ଟି ପଞ୍ଚାୟତ ଓ ୬୯ଟି ଗ୍ରାମରେ ପାଣି ମାଡ଼ି ଯାଇଛି। ସେହିପରି କଟକ ମହାନଗର ନିଗମ (ସିଏମ୍‌ସି)ର ୨ଟି ୱାର୍ଡରେ ବନ୍ୟାଜଳ ପଶିଛି। ସମଗ୍ର ଜିଲାରେ ୪୬ ହଜାର ୮୧ ଜଣ ବନ୍ୟା ପ୍ରଭାବିତ ହୋଇଛନ୍ତି। ଗ୍ରାମାଞ୍ଚଳରୁ ୯୯୮ ଓ ସିଏମ୍‌ସିରୁ ୨୩ ଜଣ ଏହିପରି ସମୁଦାୟ ୧୦୨୧ ଜଣଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଜିଲା ପ୍ରଶାସନ ରବିବାର ସୂଚନା ଦେଇଛି।
ଜିଲାର ବିଭିନ୍ନ ରାସ୍ତାରେ ବନ୍ୟାଜଳ ମାଡ଼ିଯାଇ ଥିବାରୁ ଯାତାୟାତ ସୁବିଧା ପାଇଁ ରବିବାର ୧୨ଟି ବୋଟ୍‌ର ବ୍ୟବସ୍ଥା କରାଯାଇଛି। ୬ ଜଣିଆ ଓଡ୍ରାଫ୍‌ ଟିମ୍‌ ଓ ୬ ଜଣିଆ ଅଗ୍ନିଶମ ବାହିନୀ ଏଥିରେ ନିୟୋଜିତ ଥିବାବେଳେ ଡାକ୍ତରୀ ଓ ଭେଟେନାରୀ ଚିକିତ୍ସକଙ୍କୁ ନେଇ ଗୋଟିଏ ଟିମ୍‌ ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି। ତିଗିରିଆ ଅଞ୍ଚଳରେ ୨୮୫୩ ପଶୁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଜିଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ୨୭.୦୧ କୁଇଣ୍ଟାଲ ଚୁଡ଼ା, ୫.୪୦ କୁଇଣ୍ଟାଲ ଗୁଡ଼ ଓ ୪ କୁଇଣ୍ଟାଲ ବିସ୍କୁଟ ମହଜୁଦ ଅଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ମୁଣ୍ଡଳିରେ ୧୦ ଲକ୍ଷ ୨ ହଜାର ୮୨୩ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ରବିବାର ସେ ବାଙ୍କୀ ଉପଖଣ୍ଡ କାଇମୁଣ୍ଡି ଚାରିଘରିଆ ଅଞ୍ଚଳର ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଜିଲା ଦାୟିତ୍ୱରେ ଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ ସିଂ ରବିବାର ପୁଣି କଟକ ଗସ୍ତରେ ଆସି ଜିଲାପାଳ, ସିଏମ୍‌ସି କମିଶନରଙ୍କ ସହ ବୈଠକ କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା ହୋଇଛି।

Share