Categories: ଜାତୀୟ

ସିବିଆଇ ତଦନ୍ତ କରିଥିବା ୬,୯୦୦ ମାମଲା ଗଡ଼ୁଛି

ନୂଆଦିଲ୍ଲୀ,୩ା୯(ପି.ଟି.): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୬,୯୦୦ରୁ ଊର୍ଦ୍ଧ୍ୱ ଦୁର୍ନୀତି ମାମଲାର ତଦନ୍ତ କରିଥିବାବେଳେ ସେଗୁଡ଼ିକ ବିଭିନ୍ନ ଅଦାଲତରେ ବିଚାର ଅପେକ୍ଷାରେ ପଡ଼ିରହିଛି। ଏପରିକି ୩୬୧ଟି ମାମଲା କୋର୍ଟରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ଗଡ଼ୁଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)ଙ୍କ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ଏହା ବ୍ୟତୀତ ସିବିଆଇ ନେଇଥିବା ୬୫୮ ଦୁର୍ନୀତି ମାମଲାର ତଦନ୍ତ ହୋଇପାରି ନାହିଁ। ସେଥିରୁ ୪୮ଟି ୫ ବର୍ଷରୁ ଅଧିକ ସମୟ ହେଲା ପଡ଼ିରହିଛି।
କୋର୍ଟରେ ବିଚାରାଧୀନ ଥିବା ମୋଟ ୬,୯୦୦ ମାମଲା ମଧ୍ୟରୁ ୧,୩୭୯ଟି ୩ ବର୍ଷରୁ କମ୍‌ ହୋଇଥିବାବେଳେ ୮୭୫ଟି ୩ ବର୍ଷରୁ ୫ ବର୍ଷ ମଧ୍ୟରେ ଏବଂ ୨,୧୮୮ ମାମଲା ୫ରୁ ୧୦ ବର୍ଷ ହେଲା ପଡ଼ିରହିଛି। ୨,୧୦୦ ମାମଲା ୧୦ ବର୍ଷରୁ ଅଧିକ ହୋଇଥିବାବେଳେ ୩୬୧ ମାମଲା ୨୦ ବର୍ଷରୁ ଅଧିକ ସମୟ ହେଲା ଅଦାଲତରେ ପଡ଼ିରହିଲାଣି। ଏତେବର୍ଷ ଧରି ମାମଲାଗୁଡ଼ିକ ବିଚାରାଧୀନ ରହିବା ଚିନ୍ତାର ବିଷୟ ବୋଲି ସିଭିସି ଏହାର ରିପୋର୍ଟରେ କହିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ ସିବିଆଇ ଏବଂ ଅଭିଯୁକ୍ତଙ୍କର ୧୨,୭୭୩ ଅପିଲ୍‌/ସମୀକ୍ଷା ଆବେଦନ ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପଡ଼ିରହିଛି। ସେଥିରୁ ୫୦୧ଟି ୨୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ୧,୧୩୮ଟି ୧୫ରୁ ୨୦ ବର୍ଷ , ୨,୫୫୮ ମାମଲା ୧୦ରୁ ୧୫ ବର୍ଷ, ୩,୮୫୦ ମାମଲା ୫ରୁ ୧୦ ବର୍ଷ , ୨,୧୭୨ ମାମଲା ୨ରୁ ୫ ବର୍ଷ ଏବଂ ୨,୫୫୪ ମାମଲା ୨ ବର୍ଷରୁ କମ୍‌ ସମୟ ହେଲା ବିଚାରାଧୀନ ରହିଛି।
ସେହିପରି ସିବିଆଇ ଅଫିସରମାନଙ୍କ ବିରୋଧରେ ୮୨ଟି ବିଭାଗୀୟ ଅଭିଯୋଗ ମଧ୍ୟ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ବିଚାର ହୋଇ ନାହିଁ। ଅଫିସରଙ୍କ ବିରୋଧରେ ମାମଲା ବିଚାର ନ ହୋଇ ପଡ଼ି ରହିବା ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥାର ଖ୍ୟାତି ଓ ଭାବମୂର୍ତ୍ତିର ପ୍ରତିଫଳନ କରୁଥିବା ସିଭିସି କହିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ ଗ୍ରୁପ୍‌ ଏ ସିବିଆଇ ଅଫିସରଙ୍କ ବିରୋଧରେ ୫୪ ବିଭାଗୀୟ ମାମଲା ରହିଥିବାବେଳେ ଗ୍ରୁପ୍‌ ବି ଅଫିସରଙ୍କ ବିରୋଧରେ ୨୮ ମାମଲା ରହିଛି। ଗ୍ରୁପ୍‌ ଏ ଅଫିସରଙ୍କ ବିରୋଧରେ ୨୫ ମାମଲା ୪ ବର୍ଷରୁ ଅଧିକ ହୋଇଥିବାବେଳେ ୪ ମାମଲା ୩ ରୁ ୪ ବର୍ଷ, ୧୬ ମାମଲା ବର୍ଷେରୁ ୩ ବର୍ଷ ଏବଂ ୯ଟି ମାମଲା ବର୍ଷେରୁ କମ୍‌ ସମୟ ହେଲା ବିଚାର ନ ହୋଇ ପଡ଼ିରହିଛି। ୫୧ ମାମଲାର ତଦନ୍ତ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ୩ ମାମଲାର ଚୂଢାନ୍ତ ନିର୍ଦ୍ଦେଶନାମା ପାଇଁ କାର୍ମିକ ଓ ତାଲିମ୍‌ ବିଭାଗରେ ପଡ଼ିରହିଛି।

Share