ଆସିଲା ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ): ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି।
ଏନ୍‌ଟିସିଏ ଦ୍ୱାରା ଫେବୃଆରୀରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୨ରେ ରାଜ୍ୟରେ ୫୬୮ ଓ ୨୦୧୮ରେ ୭୬୦ କଲରାପତରିଆ ବାଘ ଥିଲେ। ତେବେ ପ୍ରଥମଥର ବନ ବିଭାଗ ପକ୍ଷରୁ ନିଜସ୍ବ କଲରାପତରିଆ ଗଣନା କରାଯାଇଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍‌ ପ୍ରିଣ୍ଟ୍‌ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ୭ ଟି ରୟାଲ ବେଙ୍ଗଲ ଟାଇଗର ସମେତ ଓଡିଶା ୫୫ ଟି ବାଘ ହରାଇଛନ୍ତି। ବିଧାନସଭାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ଗୃହକୁ ଏହି ସୂଚନା ଦେଇଥିଲେ।

ତେବେ ସବୁଠୁ ସାଙ୍ଘାତିକ ଘଟଣା ହେଉଛି ୨୩ ଟି ବାଘଙ୍କୁ କେବଳ ଶିକାରୀ ହତ୍ୟା କରିଛନ୍ତି। ୪ ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଥିବା ବେଳେ ୨ ଟ୍ରେନ୍ ଦୁର୍ଘଟଣାରେ, ୩ ଟି ସଡକ ଦୁର୍ଘଟଣାରେ, ୬ ଟି ପାଣିରେ ବୁଡି ଏବଂ ପରସ୍ପର ମଧ୍ୟରେ ଲଢେଇ ଲାଗି ମୃତ୍ୟୁ ମୁଖରେ ପଡ଼ିଥିଲେ। ସେହିଭଳି ୫ ଟି ରୋଗରେ ଆକ୍ରାନ୍ତ ହୋଇ, ୫ ଟି ବୃଦ୍ଧାବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ଅଜଣା କାରଣରୁ ୭ଟି ମୃତ୍ୟୁବରଣ କରିଥିବା ସେ ସ୍ପଷ୍ଟ କରିଥିଲେ।

ଏହି ସମୟ ମଧ୍ୟରେ ସମୁଦାୟ ୭ ଟି ରୟାଲ ବେଙ୍ଗଲ ଟାଇଗରଙ୍କର ମୃତ୍ୟୁ ଘଟିଥିଲା, ସେଥିମଧ୍ୟରୁ ଗୋଟିଏ ବାଲାଙ୍ଗୀର ଜଙ୍ଗଲ ବିଭାଗରେ (୨୦୧୬-୧୭), ଗୋଟିଏ ଶିମିଳିପାଳ ଦକ୍ଷିଣ ବିଭାଗରେ (୨୦୧୭-୧୮), ଗୋଟିଏ ବରଗଡ ଜଙ୍ଗଲ ବିଭାଗରେ (୨୦୧୮-୧୯), ଗୋଟିଏ ସାତକୋଶିଆରେ (୨୦୧୮-୧୯), ୨୦୨୨-୨୩ ରେ ଏବଂ ୨୦୨୩-୨୪ ରେ ଶିମିଳିପାଳ ଦକ୍ଷିଣ ଅଂଚଳରେ ଦୁଇଟି ମୃତ୍ୟୁବରଣ କରିଥିଲେ।

୨୦୦୦ରେ ଓଡ଼ିଶାରେ ବାଘ ଜନଗଣନା କରାଯାଇ ନଥିଲା। ୨୦୦୨ ରେ କରାଯାଇଥିବା ଜନଗଣନା ଅନୁଯାୟୀ ପଗମାର୍କ ପ୍ରଣାଳୀ ଦ୍ୱାରା ୧୭୩ ଟି ରୟାଲ ବେଙ୍ଗଲ ଟାଇଗର ଓଡ଼ିଶାରେ ଥିବା ଜଣାପଡିଥିଲା।

୨୦୦୬ରେ ପ୍ରଥମ ଥର ପାଇଁ କ୍ୟାମେରା ଟ୍ରାପିଂ ପଦ୍ଧତି ବ୍ୟବହାର କରି ଦେଶବ୍ୟାପୀ ବାଘ ଜନଗଣନା କରାଯାଇଥିଲା। ଜନଗଣନା ଅନୁଯାୟୀ, ଓଡିଶାରେ ସେତେବେଳେ ୪୫ ଟି ରୟାଲ ବେଙ୍ଗଲ ବାଘ ଥିଲେ।

୨୦୨୪ରେ କରାଯାଇଥିବା ରାଜ୍ୟ ସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା। ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ଟି ବେଙ୍ଗଲ ଟାଇଗର ଛୁଆ ଦେଖାଯାଇଥିଲେ।