Categories: ଜାତୀୟ

ଓଡ଼ିଶାର ୬,୯୯୯ ଗାଁରେ ନାହିଁ ଇଣ୍ଟରନେଟ ସୁବିଧା

ନୂଆଦିଲ୍ଲୀ,୨୯।୩: ପ୍ରଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ସୋମବାର ବିଜେଡି ଏମ୍‌ପି ଅମର ପଟ୍ଟନାୟକ ପାର୍ଲାମେଣ୍ଟରେ ଏହାର ପ୍ରଶଂସା କରିଛନ୍ତି। ତେବେ ଓଡ଼ିଶାର ୨୫ ପ୍ରତିଶତ ଗ୍ରାମକୁ ଇଣ୍ଟରନେଟ ସଂଯୋଗ ନ ଥିବା ନୈରାଶ୍ୟଜନକ ବୋଲି ସେ କହିଛନ୍ତି।

ଅର୍ଥ ବିଲ୍‌, ୨୦୨୨ ଉପରେ ଆଲୋଚନା ବେଳେ ପଟ୍ଟନାୟକ କହିଥିଲେ, ଆମେ ଏବେ ପ୍ରଯୁକ୍ତି ଦୁନିଆରେ ବାସ କରୁଛେ, ଅଥଚ ଓଡ଼ିଶାର ୨୫,୦୦୦ ଗ୍ରାମ ମଧ୍ୟରୁ ୬,୯୯୯ଟିରେ ଇଣ୍ଟରନେଟ୍‌ ସଂଯୋଗ ନାହିଁ। ଏହି ଲକ୍ଷ୍ୟ ପୂରଣ ଲାଗି ୨,୫୦୦ ମୋବାଇଲ ଷ୍ଟେଶନ/ଟାଓ୍ବାର ଆବଶ୍ୟକ।

ବିଜେଡି ଏମ୍‌ପି କହିଥିଲେ, ଜିଏସ୍‌ଟି କ୍ଷତିପୂରଣର ୧,୬୨୩ କୋଟି ଟଙ୍କା ପଡ଼ିରହିଛି। ଧାନ କିଣା ବାବଦ ସବ୍‌ସିଡି ଏଫ୍‌ସିଆଇ ନିକଟରେ ରହିଛି। କେନ୍ଦ୍ର ସରକାର ୧୫ ଲକ୍ଷ ଟନ୍‌ ଉଷୁନା ଚାଉଳ ଉଠାଇବା ନେଇ ସ୍ପଷ୍ଟ କରୁ ନ ଥିବା ପଟ୍ଟନାୟକ କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ୧୨ ଲକ୍ଷ ହିତାଧିକାରୀ ଅପେକ୍ଷା କରିଛନ୍ତି। ବଜେଟ ପ୍ରସ୍ତୁତି ବେଳେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ କାହିଁକି ବୋଲି ପଟ୍ଟନାୟକ ପ୍ରଶ୍ନ କରିଥିଲେ।

Share