ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ହଟ୍‌ ସିଟ୍‌ରେ ଗୋରଖପୁର

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷରେ ପହଞ୍ଚିଛି। ପୂର୍ବରୁ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟରେ ମତଦାନ ହୋବାକୁ ଅଛି। ଅବଶିଷ୍ଟ ୨ଟି ପର୍ଯ୍ୟାୟରୁ ଷଷ୍ଠ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୩ରେ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନର ଏହି ଷଷ୍ଠ ପର୍ଯ୍ୟାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶଲଭ ମଣି ତ୍ରିପାଠୀ, ସୂର୍ଯ୍ୟ ପ୍ରତାପ ଶାହି, ରାମ ଅଚଲ ରାଜଭର, ଲାଲଜୀ ବର୍ମା ଓ ସ୍ବାମୀ ପ୍ରସାଦ ମୋର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ନାଁକରା ରାଜନୈତିକଙ୍କ ଭାଗ୍ୟ ଏବେ ଭୋଟରଙ୍କ ହାତରେ ରହିଛି। ସୂଚନା ମୁତାବକ ଗୋରଖପୁର ସଦର ହେଉଛି ଉତ୍ତରପ୍ରଦେଶର ହଟ୍‌ ସିଟ୍‌। କାରଣ ଏହି ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନର ୬ଷ୍ଠ ପର୍ଯ୍ୟାୟରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଷ୍ଠା ଏବେ ସଙ୍କଟରେ ରହିଛି। ଯୋଗୀ ଲଗାତାର ଅନେକ ଥର ଏମ୍‌ପି ହେବା ପରେ ୨୦୧୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ପ୍ରଥମ ଥର ପାଇଁ ଗୋରଖପୁର ସଦରର ବିଧାୟକ ଭାବେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ବିରୋଧରେ ନିର୍ବାଚନୀ ମଇଦାନକୁ ଚନ୍ଦ୍ରଶେଖର ରହିଥିବା ବେଳେ ଏସ୍‌ପିରୁ ସୁଭାବତୀ ଶୁକ୍ଲା ଓ ବିଏସ୍‌ପିରୁ ଖ୍ବାଜା ଶମସୁଦ୍ଦିନ ଓହ୍ଲାଇଛନ୍ତି। ସେହିପରି କଂଗ୍ରେସରୁ ଚେତନା ପାଣ୍ଡେ ପ୍ରାର୍ଥୀ ରହିଛନ୍ତି।

Share