କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ ନିକଟରୁ ୭.୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ଲାଲବାଗ ଥାନା ଦିଓ୍ବାନ ବଜାର ଅଞ୍ଚଳର ବି. ତିରୁମାଳା(୨୦)। ଜଣେ ବ୍ରାଉନସୁଗାର ମାଫିଆ ସୋମବାର ସକାଳ ପ୍ରାୟ ୬.୪୫ ସମୟରେ ଏକ ପ୍ଲାଷ୍ଟିକ ଡବାରେ ୭୪ ଗ୍ରାମ ବ୍ରାଉନସୁଗାର ଧରି ସତ୍ୟବ୍ରତ ଷ୍ଟାଡିୟମ ନିକଟରେ ଠିଆ ହୋଇଥିବା ଜିଲା ଅବକାରୀ ମୋବାଇଲ ୟୁନିଟ ଖବର ପାଇଥିଲା। ଫଳରେ ମୋବାଇଲ ୟୁନିଟ୍ ଟିମ୍ ସେଠାରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ଧରି ପକାଇଥିଲେ। ଅଭିଯୁକ୍ତ ଜଣକ ବାଲେଶ୍ବରରୁ ବ୍ରାଉନସୁଗାର ଆମଦାନୀ କରି କଟକ ସହରରେ ପୁଡ଼ିଆ କରି କଲେଜ ଛାତ୍ରଙ୍କୁ ସତ୍ୟବ୍ରତ ଷ୍ଟାଡିୟମ, ବାଲିଯାତ୍ରା ପଡ଼ିଆ, ନରାଜ, ସିଡିଏ, କଲେଜ ଛକ ଅଞ୍ଚଳରେ ବିକ୍ରି କରୁଥିଲେ। ଅବକାରୀ ଆଇଆଇସି ଅଭିରାମ ସାହୁ, ରଙ୍କନିଧୀ ମଲ୍ଲିକ, ଏସ୍ଆଇ ଅଜିତ କୁମାର ପାତ୍ର, ଏଏସ୍ଆଇ ହେମନ୍ତ କୁମାର ମଲ୍ଲିକ, ଶୁଭଦର୍ଶନୀ ସାହୁଙ୍କ ସମେତ ଜିଲା ମୋବାଇଲ ୟୁନିଟର ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ।