ଜାପାନରେ ୭.୫ ତୀବ୍ରତାର ଭୂକମ୍ପ, ଆସିପାରେ ସୁନାମୀ

ଟୋକିଓ,୧।୧: ପଶ୍ଚିମ ଜାପାନରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି। ଏହି ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଉତ୍ତର କେନ୍ଦ୍ରୀୟ ଜାପାନରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଘଟିବା ମାତ୍ରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। ସୁନାମି ଚେତାବନୀ ଲୋକଙ୍କୁ ଇଶିକାୱା, ନିଗାତା, ତୋୟାମା ଏବଂ ୟାମାଗାଟା ଉପକୂଳବର୍ତ୍ତୀ ଅଞ୍ଚଳ ଛାଡିବାକୁ କହିଛି। ଇଶିକାୱାସ୍ଥିତ ନୋଟୋ ଉପଦ୍ୱୀପ ନିକଟରେ ସମୁଦ୍ରଠାରୁ ୫ ମିଟର ପର୍ଯ୍ୟନ୍ତ ଲହଡି ହେବାର ସମ୍ଭାବନା ରହିଛି।

ଏନ୍‌ଏଚକେ ରିପୋର୍ଟ ଅନୁଯାୟୀ, ନୂଆ ବର୍ଷରେ ଟୋକିଓ ଏବଂ କାଣ୍ଟୋ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଇଶିକାୱାସ୍ଥିତ ନୋଟୋ ଉପଦ୍ୱୀପରେ ୱାଜିମା ବନ୍ଦରରେ ୧.୨ ମିଟରରୁ ଅଧିକ ଲହରୀ ଆସିବା ପରେ ସୁନାମି ଚେତାବନୀ ଦିଆଯିବା ସହ ଇଶିକାୱା, ନିଗାତା, ତୋୟାମା ଏବଂ ୟାମାଗାଟା ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକୁ ଶୀଘ୍ର ସ୍ଥାନାନ୍ତର କରିବାକୁ କୁହାଯାଇଥିଲା।
ସ୍ଥାନୀୟ ସମୟ ଅପରାହ୍ନ ୪ ଟା ସମୟରେ ଜାପାନରେ ସୁନାମି ଚେତାବନୀ ଦିଆଯାଇଥିଲା। ଏହାପରେ, ତୋୟାମା ପ୍ରିଫେକ୍ଟରରେ ରାତି ୪ଟା ୩୫ରେ ୮୦ସେମି ଲହରୀ ଉପକୂଳକୁ ଆସିଥିଲା ଏବଂ ତା’ପରେ ରାତି ୪ଟା ୩୬ରେ ତରଙ୍ଗ ନିଗାଟା ଅଞ୍ଚଳରେ ପହଞ୍ଚିଥିଲା। ଏହାପୂର୍ବରୁ ୨୮ଡିସେମ୍ବରରେ ଜାପାନରେ ମଧ୍ୟ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଜାପାନର କୁରିଲ ଦ୍ୱୀପପୁଞ୍ଜରେ ଘଟିଥିବା ଭୂକମ୍ପର ତୀବ୍ରତା ୬.୩ମ୍ୟାଗ୍ନିଚ୍ୟୁଡରେ ମାପ କରାଯାଇଥିଲା। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଏଠାରେ ଅଧ ଘଣ୍ଟା ମଧ୍ୟରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା।

Share