ମାସକରେ ୭ ଦୁର୍ଘଟଣା, ୫ ମୃତ

ବ୍ରହ୍ମପୁର ଅଫିସ,୧୬ା୪: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଏବେ ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ସହରରେ ଥିବା ୭ଟି ବ୍ଲାକସ୍ପଟ୍‌ରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଦେଖିବାକୁ ମିଳୁଛି। ଅସଜଡ଼ା ରାସ୍ତା, ଜାତୀୟ ରାଜପଥରେ ଠିକ୍‌ ସୂଚନା ରହି ନ ଥିବା ଏବଂ ସ୍ଥିତି ଖରାପ ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚରେ ସହରରେ ୭ଟି ଦୁର୍ଘଟଣା ଘଟିଛି ସେଥିମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୨ ଜଣ ଗୁରୁତର ଆହତ ହୋଇଥିବା ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ମିଳିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଚାଳକଙ୍କଠାରୁ ଜରିମାନା ମଧ୍ୟ ଆଦାୟ ହେଉଛି। ସହରର ସବୁ ଛକରେ ଗାଡ଼ି ଧୀରେ ଚଲାଇବାକୁ ସିଗ୍‌ନାଲ ଦିଆଯାଉଛି। ଅମାନିଆ ଚାଳକଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କଠାରୁ ଜରିମାନା ଆଦାୟ ହେଉଛି। ତଥାପି ବିଭିନ୍ନ କାରଣରୁ କେତେକ ଜାଗାରେ ଦୁର୍ଘଟଣା ଘଟୁଛି ଏବଂ ଜୀବନ ହାନି ହେଉଛି। ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ଥାନାଧିକାରୀ ରାମ ସୁବ୍ରମନ୍ୟମ ପ୍ରଧାନ କହିଛନ୍ତି।

Share