୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଉମରକୋଟ, ୮।୨(ସ୍ବ.ପ୍ର.): ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଉମରକୋଟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁନୀଲ କୁମାର ଦାସ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ ପାଇଛି। ୨୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଉମରକୋଟ ଅତିରିକ୍ତ ଜିଲା ଦୌରା ଜଜ୍‌ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ଡମ୍ବୁରୁ ଭତ୍ରା, ମୋନାହର ଭତ୍ରା, ରାଜୁ ଭତ୍ରା, ମନୋଜ ଭତ୍ରା, ଧନୀରାମ ଭତ୍ରା, ମଦନସିଂ ବିନ୍ଧାଣୀ, ସମାରୁ ଗୌଡ଼। ମୃତ ମାନସିଂଙ୍କ ପକ୍ଷରୁ ସରକାରୀ ଓକିଲ ଝାଡ଼େଶ୍ୱର ମହାନ୍ତି କେସ୍‌ ପରିଚାଳନା କରୁଥିଲେ।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡ଼ା ଗ୍ରାମର ମାନସିଂ ବିନ୍ଧାଣୀଙ୍କ ଜମିରେ ଏକ ବିଯା ଗଛ ଥିଲା। ଏହାକୁ କାଟିବା ପାଇଁ ସେ ଯୋଜନା କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଏହାକୁ ବିରୋଧ କରି ତାଙ୍କୁ ହତ୍ୟା ଧମକ ଦେଉଥିଲେ। ୨୧ ମାର୍ଚ୍ଚ ୨୦୧୬ରେ ମାନ ସିଂ, ସ୍ତ୍ରୀ ଡାଳିମ୍ବ ଓ ଶାଳୀ କାନ୍ଦିରି ବିନ୍ଧାଣୀ ନିକଟସ୍ଥ ଖୁଟୁଗୁଡା ଗ୍ରାମକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ କେନ୍ଦୁଗୁଡା ଓ ଖୁଟୁଗୁଡା ଗ୍ରାମ ମଝିରେ ଥିବା ଏକ ପୋଲ ତଳେ ଅଭିଯୁକ୍ତମାନେ ଲୁଚିଥିଲେ। ମାନସିଂ, ଡାଳିମ୍ବ ଓ କାନ୍ଦିରି ସେଠାରେ ପହଞ୍ଚତ୍ବା ପରେ ଅଭିଯୁକ୍ତମାନେ ଟାଙ୍ଗିଆ ଓ ଠେଙ୍ଗାରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମାନସିଂଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ତ୍ରୀ ଡାଳିମ୍ବ ଗୁରୁତର ହୋଇଥିଲେ। କିନ୍ତୁ କାନ୍ଦିରି ପ୍ରାଣ ବିକଳରେରେ ଦୌଡ଼ି ପଳାଇଥିଲେ। ମୃତ ମାନସିଂଙ୍କ ଭାଇ ରବିସିଂ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲା ଆଧାରରେ ଅଭିଯୁକ୍ତମାନଙ୍କୁ ଧରି ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।

Share