ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌: ଚାଲିଗଲା ୧୩ ଜୀବନ

ନାଏପିଡାଉ,୨୦।୯: ଉତ୍ତର-ମଧ୍ୟ ମ୍ୟାନମାରର ସାଗିଙ୍ଗ ଅଞ୍ଚଳର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। ଏଥିରେ ୭ ଜଣ ଶିଶୁଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡେଲାଠାରୁ ପ୍ରାୟ ୧୧୦କିଲୋମିଟର ଦୂରରେ ଥିବା ତାବାଇନ୍‌ର ଲେଟେ ୟାଟ କୋନ ଗ୍ରାମରେ ଏହି ଆକ୍ରମଣ ହୋଇଛି। ଏହାକୁ ଏକ ବିଦ୍ୟାଳୟ ପ୍ରଶାସକ ଏବଂ ସହାୟତା କର୍ମୀ ନିଶ୍ଚିତ କରିଛନ୍ତି। ମ୍ୟାନମାରରେ ସେନା ଲଗାତର ଭାବେ ଗଣତନ୍ତ୍ର ସମର୍ଥକଙ୍କୁ ଦମନ କରିଆସୁଛି। କିନ୍ତୁ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ହେବାର ଏହା ପ୍ରଥମ ଘଟଣା। ଅନ୍ୟପକ୍ଷରେ ସେନା କହିଛି ଯେ, ବିଦ୍ରୋହୀମାନେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଏହି କୋଠା ବ୍ୟବହାର କରୁଥିଲେ। ତେଣୁ ସେ ଗୁଳି ଚଳାଇଲେ।
ଗତ ବର୍ଷ ପ୍ରାରମ୍ଭରେ ନିର୍ବାଚିତ ସରକାରକୁ ହଟାଇ ସେନା କ୍ଷମତା ଦଖଲ କରିବା ପରେ ମ୍ୟାନମାରରେ ହିଂସା ବଢିବାରେ ଲାଗିଛି।

Share