ବିଦେଶ ଫେରନ୍ତାଙ୍କ ପାଇଁ ୭ ଦିନିଆ ହୋମ୍‌ କ୍ୱାରାଣ୍ଟାଇନ୍‌ ଅନିବାର୍ଯ୍ୟ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଭାରତକୁ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ମଙ୍ଗଳବାରଠାରୁ ଏକ ସପ୍ତାହ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ ଅନିବାର୍ଯ୍ୟ କରାଯାଇଛି।

ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାର ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି। ଯାହା ଦ୍ୱାରା ସାରା ଦେଶରେ ଦ୍ରୁତ ବିସ୍ତାର କରୁଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ସଂକ୍ରମଣକୁ ରୋକା ଯାଇପାରିବ। ଉପରେ ପ୍ରତିବନ୍ଧକ ଲଗାଯାଇପାରିବ।

ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି ମଧ୍ୟରେ ଯାତ୍ରୀମାନେ ବାହାରେ ବୁଲାବୁଲି କରିପାରିବେ ନାହିଁ। ସେମାନଙ୍କୁ ଘରେ ରହିବାକୁ ପଡିବ। ୭ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଅଷ୍ଟମ ଦିନ ଆରଟି-ପିସିଆର୍‌ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି।

୫ ବର୍ଷରୁ କମ ବୟସ୍କ ପିଲାମାନଙ୍କ ପାଇଁ ଉଭୟ ଆଗମନ ପୂର୍ବରୁ ଏବଂ ପରେ ପରୀକ୍ଷଣର ଆବଶ୍ୟକତା ନାହିଁ। ନମୁନା ରିପୋର୍ଟ ନେଗେଟିଭ୍‌ ଆସିଲେ ମଧ୍ୟ ବିଦେଶ ଫେରନ୍ତାଙ୍କୁ ୭ ଦିନ ପର୍ଯ୍ୟନ୍ତ ନିଜର ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ପଡ଼ିବ। ସେହିପରି ପଜିଟିଭ୍‌ ରିପୋର୍ଟ ଆସିଥିବା ଯାତ୍ରୀଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ।

ବିଦେଶ ଫେରନ୍ତାଙ୍କୁ କ୍ୱାରାଣ୍ଟାଇନ୍‌ର ଅଷ୍ଟମ ଦିନରେ କରୋନା ପରୀକ୍ଷଣର ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ପଡିବ। ଯାହାଫଳରେ ସମ୍ପୃକ୍ତ ରାଜ୍ୟ ଯାତ୍ରୀ ମାନଙ୍କ ଉପରେ ନଜର ରଖିପାରିବେ।

Share