୨୭ରୁ ବ୍ରହ୍ମପୁର ୪ଦିନିଆ ଶଟ୍‌ଡାଉନ୍‌

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ରହିବ। ଏହି ସମୟରେ କେବଳ ସ୍ବାସ୍ଥ୍ୟସେବା ଓ କ୍ଷୀର ଯୋଗାଣ ଚାଲୁ ରହିବ ବୋଲି ଗୁରୁବାର ରାତିରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ଅନ୍ୟସବୁ ଅତ୍ୟାବଶ୍ୟକ ଓ ଅଣଆବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ରହିବ। ଆକ୍ଟିଭ କଣ୍ଟାକ୍ଟ ଟ୍ରେସିଂ, ଲକ୍ଷଣ ଯାଞ୍ଚ, ଆଇସୋଲେଶନ ଓ ହୋମ୍‌ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଯାଞ୍ଚ ପାଇଁ ଏହି କଡା ପଦକ୍ଷେପ ନିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଏଥିପାଇଁ ୭୦ଟି ସ୍ବାସ୍ଥ୍ୟ ଟିମ୍‌ ଗଠନ କରାଯାଇଛି। ବ୍ରହ୍ମପୁର ସହରର ସମସ୍ତ ଘରକୁ ଯାଇ ଜ୍ୱର, କାଶ, ମଧୁମେହ, ଡାଇରିଆ ଆଦି ନେଇ ଯାଞ୍ଚ ହେବ। ଏପରି ଲକ୍ଷଣ ଥିଲେ ନ ଲୁଚାଇବାକୁ ଜିଲାପାଳ ଅନୁରୋଧ କରିଛନ୍ତି।

Share