ଭୁବନେଶ୍ବର, ୧୭ା୮(ବ୍ୟୁରୋ): ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରିଛନ୍ତି। ଏପରିକି ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହୀରାକୁଦର ୪୦ ଗେଟ୍ ଖୋଲିଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ନଦୀଗୁଡ଼ିକ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କଟକ ମୁଣ୍ଡଳୀଠାରେ ଏବେ ପ୍ରାୟ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ବନ୍ୟାଜଳ ପ୍ରବେଶ ଯୋଗୁ ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବା ପାଇଁ ଜିଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି। ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡା ଭଳି ୧୦ ଜିଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ଦିନ ପାଇଁ ବାତିଲ କରିଦିଆଯାଇଛି। ଏହାସହିତ ଇଞ୍ଜିନିୟରମାନଙ୍କୁ ନିଜ ସ୍ଥାନ ଛାଡ଼ି ନ ଯିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।