
ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୦ ବଖରା ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିସହ ସେମାନଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ତୁରନ୍ତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିଥିଲେ। ବିଧାୟକ ନାୟକ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଥିବା ଯୋଗୁ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଚାଉଳ, ଡାଲି, ବସ୍ତ୍ର ସମେତ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜିଲା ପରିଷଦ ଏମ୍ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ ଧରି ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ପ୍ରଦାନ କରିଥିଲେ। ଏଥିସହ ସରକାରଙ୍କ ଦ୍ୱାରା ଯାହା ସହାୟତା ସମ୍ଭବ ତୁରନ୍ତ କିଭଳି କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ମିଳିବ ସେଥିପାଇଁ ପଦକ୍ଷେପ ନେବାକୁ ବିଧାୟକ ନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।