Categories: ଫୁରସତ

୭ ଫୁଟ୍‌ ଲମ୍ବର ରାଖୀ

ଚଣ୍ଡିଗଡ଼: ରକ୍ଷାବନ୍ଧନ ପର୍ବକୁ ନେଇ ଏଥର ସବୁଆଡ଼େ ଉତ୍ସାହ ଫିକା ପଡ଼ିଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଏଥର ରାଖୀ ବଜାରରେ କଟକଣା ଜାରି କରାଯାଇଛି। ଏଥିପାଇଁ ଅଧିକାଂଶ ସ୍ଥାନରେ ପିଲାମାନେ ଘରେ ରାଖୀ ତିଆରି କରୁଛନ୍ତି। ଭାଇ ହାତରେ ସ୍ନେହର ଡୋରି ବାନ୍ଧି ପରମ୍ପରାକୁ ବଜାୟ ରଖିବେ। ଏମିତି ଏକ ଲକ୍ଷ୍ୟରେ ଏବେ ପଞ୍ଜାବ ଚଣ୍ଡିଗଡ଼ର ମହିଳାମାନେ ଏକ ଭିନ୍ନ ଧରଣର ରାଖୀ ତିଆରି କରିଛନ୍ତି, ଯାହାର ଲମ୍ବ ୭ଫୁଟ୍‌।
ଚଣ୍ଡିଗଡ଼ର ଏକ ମହିଳା ଗୋଷ୍ଠୀ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କ ପାଇଁ ରାଖୀ ତିଆରି କରି ବିକ୍ରି କରୁଥିଲେ। ପାରମ୍ପରିକ ଶୈଳୀରେ ସେମାନେ ବିଭିନ୍ନ ପ୍ରକାର ରାଖୀ ତିଆରି କରିବା ସହିତ ଏକ ବିଶେଷ ଧରଣର ରାଖୀ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସମସ୍ତ ମହିଳା ମିଶି ୭ ଫୁଟ୍‌ ଲମ୍ବର ଏକ ରାଖୀ ତିଆରି କରି ହନୁମାନଙ୍କ ମନ୍ଦିରକୁ ଦାନ କରିଥିଲେ। ହନୁମାନଙ୍କୁ ଚଢ଼ାଇବା ପାଇଁ ତିଆରି ହୋଇଥିବା ଏହି ରାଖୀଟି ଇକୋ ଫ୍ରେଣ୍ଡ୍‌ଲି। ଏଥିରେ ଏକ ରୁଦ୍ରାକ୍ଷ ମଧ୍ୟ ଲଗାଯାଇଛି। ଏତେବଡ଼ ରାଖୀ ତିଆରି କରିବାକୁ ମହିଳାମାନେ ଦିନକୁ ପ୍ରାୟ ୨ରୁ ୩ ଘଣ୍ଟା ଲେଖାଏ ୧୫ ଦିନ ପର୍ଯ୍ୟନ୍ତ କାମ କରିଥିଲେ।

Share