ସୋହେଲା,୨୩।୩(ଡି.ଏନ.ଏ.): ସୋହେଲା-ବରଗଡ଼ ଜାତୀୟ ରାଜପଥର ଗର୍ଭଣାଠାରେ ଗୁରୁବାର ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ଆରୋହୀ ଗର୍ଭଣା ଗାଁର ଦୁଇ ଭାଇ ତନ୍ମୟ ପଧାନ ଓ ମନୋଜ ପଧାନଙ୍କ ସମେତ ତରାକନା ଗାଁର ଅନ୍ୟ ଦୁଇ ଜଣ ଯୁବକ ଆହତ ହୋଇଥିଲେ। ଆହତମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରି ବିଭିନ୍ନ ଦାବି ରଖିଥିଲେ। ଏନେଇ ରାସ୍ତାରେ ଯାନବାହନ ଅଟକି ରହିଥିଲା। ଅପରାହ୍ନ ୪ଟାରେ ପଦ୍ମପୁର ଉପଜିଲାପାଳ ସୁଧାକର କୁମ୍ଭାରଙ୍କ ସମେତ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟା ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।