ଉଚ୍ଚ ସରକାରୀ ପଦରେ ଚାକିରି କରିଥିବା ୭ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୬।୭- କ୍ରିକେଟ୍‌ ଭାରତରେ ଏକ ଲୋକପ୍ରିୟ ଖେଳ। ଶ୍ରେଷ୍ଠ ଖେଳାଳିଙ୍କୁ ଭାରତୀୟ ଯୁବପୀଢ଼ି ନିଜର ଆଦର୍ଶ ଭାବେ ଗ୍ରହଣ କରନ୍ତି। ଫିଲ୍ମ ଷ୍ଟାର୍‌ ଓ ରାଜନେତାଙ୍କ ପରି କ୍ରିକେଟର୍‌ମାନେ ମଧ୍ୟ ସାଧାରଣରେ ବହୁତ ଲୋକପ୍ରିୟ ହୋଇଥାନ୍ତି। ତେବେ ଅନେକ ହୁଏତ ଜାଣି ନ ଥିବେ ଯେ କିଛି ଲୋକପ୍ରିୟ କ୍ରିକେଟର୍‌ଙ୍କୁ ସରକାର ଉଚ୍ଚ ପଦ ପଦବୀରେ ଚାକିରି ପ୍ରଦାନ କରି ପୁରସ୍କୃତ କରିଛନ୍ତି। ଭାରତ ସରକାରଙ୍କ ଅଧିନରେ ବଡ଼ ପଦ ପଦବୀରେ ଚାକିରି କରିଥିବା କିଛି ଭାରତୀୟ କ୍ରିକେଟର୍‌ଙ୍କ ସମ୍ପର୍କରେ ସଂକ୍ଷେପରେ…।


କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ୧ ନଭେମ୍ବର ୨୦୧୧ରେ ଇଣ୍ଡିଆନ ଟେରିଟୋରିଆଲ୍‌ ଆର୍ମିରେ ଯୋଗ ଦେଇଥିଲେ। ତାଙ୍କୁ ଲ୍ୟୁଟ୍‌ନାଣ୍ଟ କଲୋନେଲ ର଼୍ୟାଙ୍କରେ ନିଯୁକ୍ତି ମିଳିଥିଲା। କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ କ୍ରିକେଟର୍‌ ଭାବେ ଧୋନୀ ଏହି ସମ୍ମାନର ଅଧିକାରୀ ହୋଇଥିଲେ। ୨୦୧୯ ବିଶ୍ୱକପ୍‌ ପରେ ଧୋନୀ ଜମ୍ମୁ-କଶ୍ମୀର ଯାଇ ୨ ସପ୍ତାହ ଆର୍ମିରେ ସେବା କରିଆସିଥିଲେ। ଧୋନୀଙ୍କ ପୂର୍ବରୁ ୧୯୮୩ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଳ ଦେବ ଇଣ୍ଡିଆନ ଟେରିଟୋରିଆଲ ଆର୍ମିରେ ୨୦୦୮ରେ ଯୋଗ ଦେଇଥିଲେ। କପିଳଙ୍କୁ ମଧ୍ୟ ଲ୍ୟୁଟ୍‌ନାଣ୍ଟ କଲୋନେଲ ପଦରେ ନିଯୁକ୍ତି କରାଯାଇଥିଲା। ଅଫିସର ଭାବେ ଇଣ୍ଡିଆନ ଆର୍ମିରେ ଚାକିରି କରିବାରେ କପିଳ ପ୍ରଥମ କ୍ରିକେଟର୍‌ ଥିଲେ। ସେହିଭଳି ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ୨୦୧୦ରେ ଇଣ୍ଡିଆନ ଏୟାର ଫୋର୍ସରେ ସମ୍ମାନଜନକ ଗ୍ରୁପ୍‌ କ୍ୟାପଟେନ୍‌ ପଦରେ ନିଯୁକ୍ତ ହୋଇଥିଲେ। ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ସଚିନ ଇଣ୍ଡିଆନ ଏୟାର ଫୋର୍ସରେ ଏହି ସମ୍ମାନଜନକ ର଼୍ୟାଙ୍କ ପାଇଥିଲେ। ୨୦୧୪ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଲୋକେଶ ରାହୁଲ ମଧ୍ୟ ଏକ ବଡ଼ ପଦରେ ଚାକିରି କରିଛନ୍ତି। ରାହୁଲ ୨୦୧୮ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ। ଅନ୍ୟତମ ଭାରତୀୟ କ୍ରିକେଟର୍‌ ତଥା ଦ୍ରୁତ ବୋଲର ଉମେଶ ଯାଦବ ମଧ୍ୟ ଆର୍‌ବିଆଇରେ ଚାକିରି କରିଛନ୍ତି। ରାହୁଲଙ୍କ ଭଳି ଉମେଶ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ୨୦୧୭ରେ ନାଗପୁର ବ୍ରାଞ୍ଚ୍‌ରେ ଚାକିରି ଆରମ୍ଭ କରିଥିଲେ। ସେହିଭଳି ୨୦୦୭ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଅନ୍ତିମ ଓଭର ବୋଲିଂ କରି ରାତାରାତି ଚର୍ଚ୍ଚାକୁ ଆସିଥିବା ଯୋଗିନ୍ଦର ଶର୍ମା ମଧ୍ୟ ଉଚ୍ଚ ପଦବୀରେ ଚାକିରି କରିଛନ୍ତି। ଯୋଗିନ୍ଦର ବର୍ତ୍ତମାନ ହରିୟାଣାରେ ଡିଏସ୍‌ପି ଭାବେ କାର୍ଯ୍ୟରତ। ୨୦୦୭ରେ ଭାରତକୁ ବିଶ୍ୱକପ୍‌ ଜିତାଇବାରେ ଯୋଗିନ୍ଦରଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏହି କାରଣରୁ ହରିୟାଣା ସରକାର ତାଙ୍କୁ ଡିଏସ୍‌ପି ର଼୍ୟାଙ୍କରେ ନିଯୁକ୍ତି ଦେଇଥିଲା। ବର୍ତ୍ତମାନ ଭରତୀୟ ଦଳରେ ଖେଳୁଥିବା ସ୍ପିନର ୟୁଜବେନ୍ଦ ଚହଲ ମଧ୍ୟ ଭାରତ ସରକାରଙ୍କ ଅଧିନରେ ଉଚ୍ଚ ପଦରେ ଚାକିରି କରିଛନ୍ତି। ଚହଲ ୨୦୧୮ରେ ଇନ୍‌କମ୍‌ ଟ୍ୟାକ୍ସ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।

Share